ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କୋରାପୁଟରେ ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମରେ ସ୍କୁଲ ସମେତ ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭାଗଗୁଡ଼ିକୁ ଗୋଟିଏ ଦିନ ପାଇଁ ବନ୍ଦ ରଖିବାକୁ ଆଦେଶ ହୋଇଛି।
କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଯାତାୟାତ ପ୍ରଭାବିତ ହୋଇଛି। ଏହାସହ ଭାରିରୁ ଅତିଭାରି ବର୍ଷା ସହ ବଜ୍ରପାତର ପୂର୍ବାନୁମାନ ରହିଛି। ଏଭଳି ସ୍ଥିତିରେ ସ୍କୁଲ ଯାଉଥିବା ପିଲାଙ୍କ ସୁରକ୍ଷାକୁ ନଜରରେ ରଖି କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ସମସ୍ତ ବର୍ଗର ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସ୍କୁଲ ବନ୍ଦ ରହିଲେ ମଧ୍ୟ ହେଡମାଷ୍ଟର, ହେଡମିଷ୍ଟ୍ରେସ୍, ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହିବେ। ଏହି ନିର୍ଦ୍ଦେଶରେ କୌଣସି ପ୍ରକାର ବ୍ୟତିକ୍ରମକୁ ଗୁରୁତ୍ୱର ସହ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବା ନେଇ IMD ସତର୍କ କରିଛି। କୋରାପୁଟ, ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଆଗାମୀ ଦିନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।