ମୁମ୍ବାଇ: ଆଇଆଇଟି ବମ୍ବେରେ ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର ସାହିଲ ରବିନ୍ଦ୍ର ୱାକୋଡ଼େଙ୍କ ଆତ୍ମହତ୍ୟା ମାମଲାରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଛାତ୍ର ମୃତ୍ୟୁ ପାଇଁ ଆଇଆଇଟି ବମ୍ବେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛି । ତତସହିତ ଡିନ୍ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲାଙ୍କ ତତ୍କାଳ ପ୍ରଭାବ ସ୍ୱରୂପ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବାର ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଶିରୀଷ ବି. କେଦାରେ । ତାଙ୍କୁ କେବଳ ଡିନ୍ ପଦରୁ ନିଲମ୍ବିତ କରାଯାଇଥିବା କଲେଜ ସ୍ପଷ୍ଟ କରିଛି ।
ଗତକାଲି ବିଳମ୍ବିତ ରାତି ଯାଏ ଛାତ୍ରମାନେ ଆଇଆଇଟିର ମୁଖ୍ୟ ଫାଟକରେ ପ୍ରବଳ ହଙ୍ଗମା କରିଥିଲେ । ୧୮ ଦଫା ଦାବି ନେଇ ବିକ୍ଷୋଭ କରିଛନ୍ତି ଆଇଆଇଟି ନିର୍ଦ୍ଦେଶକ ଶିରିଷ କେଦାରେ ନିଜେ ଛାତ୍ରଙ୍କ ସହିତ ଦୀର୍ଘ ୩ ଘଣ୍ଟା ଧରି ଆଲୋଚନା କରିଛନ୍ତି । ଏହା ପରେ ଛାତ୍ରଙ୍କ ୧୮ଟି ଦାବିକୁ କଲେଜ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି । ପ୍ରଫେସରଙ୍କୁ ନିଲମ୍ବିତ, ନିରପେକ୍ଷ ଯାଞ୍ଚ ପାଇଁ କମିଟି ଗଠନ, ସାର୍ବଜନୀନ କ୍ଷମା ପ୍ରାର୍ଥନା, ପୀଡ଼ିତ ପରିବାରକୁ ସହାୟତା ଭଳି ସର୍ତ୍ତ ରଖାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ମହାରାଷ୍ଟ୍ର ଯବତମାଲ ଜିଲ୍ଲାର ସାହିଲ ୱାକୋଡେ ଆଇଆଇଟି ବମ୍ବେର ଏନର୍ଜି ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଶୁକ୍ରବାର ଏକ ପରୀକ୍ଷା ଚାଲୁଥିବାବେଳେ ତାଙ୍କୁ ପରୀକ୍ଷା ନିରୀକ୍ଷକ ଚାଟ୍ ଜିପିଟିରେ ପ୍ରଶ୍ନ ପତ୍ର ଅପଲୋଡ୍ କରି ଉତ୍ତର ବାହାର କରୁଥିବାବେଳେ ଧରିଥିଲେ । ଏହା ପରେ ତାଙ୍କ ମୋବାଇଲ୍ ଜବତ କରି ବିଭାଗୀୟ ମୁଖ୍ୟଙ୍କ ଚ୍ୟାମ୍ବରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ବୁଝାସୁଝା କରାଯାଇଥିଲା । ମାତ୍ର ପରେ ତାଙ୍କର ଝୁଲନ୍ତା ମୃତ ହେବ ହଷ୍ଟେଲ ରୁମରୁ ମିଳିଥିଲା ।
ସାହିଲଙ୍କ ପରିବାର ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅନୁଷ୍ଠାନଗତ ନିର୍ଯାତନା ଓ ଜାତିଗତ ଭେଦଭାବର ଶିକାର ହେବାକୁ ପଡ଼ିଥିଲା । ସାହିଲଙ୍କୁ ପ୍ରବଳ ମାନସିକ ଚାପ ଦିଆଯାଇଥିଲା । ଏମିତିକି ପାଠପଢ଼ାରୁ ନିଲମ୍ବିତ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା। ସେହିପରି ସାହିଲଙ୍କ ପିତାମାତାଙ୍କ ଅଭିଯୋଗ ଆଧାରରେ, ପୋଲିସ୍ 'ଭାରତୀୟ ନ୍ୟାୟ ସଂହିତା' ଏବଂ 'ଏସ୍ସି/ଏସ୍ଟି ଆଇନ୍' ଅଧୀନରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଛି । ଏହି ମାମଲାରେ ଜଣେ ପ୍ରଫେସରଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ଏବଂ ତଦନ୍ତ ଭାର 'କ୍ରାଇମ୍ ବ୍ରାଞ୍ଚ'କୁ ହସ୍ତାନ୍ତର କରାଯାଇଛି।