ନୂଆଦିଲ୍ଲୀ: ଦିଲ୍ଲୀରେ SIR ଅଭିଯାନ ଅଧୀନରେ ପ୍ରାୟ ୩୩.୧୩ ଲକ୍ଷ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି ଚର୍ଚ୍ଚିତ ତାଲିକାରେ ନିର୍ବାଚନ ଆୟୋଗର ସୁଖବୀର ସିଂହ ସଂଧୁ, ବରିଷ୍ଠ ଆଇନଜୀବୀ କପିଲ ସିବଲ, ଭାଜପା ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡବାଣୀ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ଭଳି ବହୁ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ଅଛନ୍ତି।
କାହିଁକି ଆସିଲା ଏତେ ନୋଟିସ୍?
ବେଶୀଭାଗ ନୋଟିସ୍ ୨୦୦୨ ମସିହାର SIR ରେକର୍ଡ ସହିତ ବର୍ତ୍ତମାନର ତଥ୍ୟ ମେଳ ନ ଖାଇବା ଏବଂ ନାମ କିମ୍ବା ଠିକଣାରେ କିଛି ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଅଟୋ-ଜେନେରେଟ୍ (ସ୍ୱୟଂଚାଳିତ ଭାବେ) ହୋଇଛି। ବିପକ୍ଷର ବିଭିନ୍ନ ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ ନୋଟିସର ଅର୍ଥ ଭୋଟର ତାଲିକାରୁ ନାମ କାଟିଦେବା ନୁହେଁ।
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ଯେ ECINETରେ ଡାଟା ଠିକ୍ କରିବା ପାଇଁ ତ୍ରୁଟିପୂର୍ଣ୍ଣ ଭୋଟରମାନଙ୍କୁ ସିଷ୍ଟମ୍ ଜେନେରେଟେଡ୍ ନୋଟିସ୍ ପଠାଯାଉଛି। ସୋସିଆଲ ମିଡିଆ ଏବଂ ପ୍ରିଣ୍ଟ ମିଡିଆରେ ଯେପରି ଭୟର ବାତାବରଣ ସୃଷ୍ଟି କରାଯାଉଛି, ପ୍ରକୃତରେ ସେପରି କୌଣସି ଅସ୍ତିତ୍ବର ସଙ୍କଟ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହାସହ ନୋଟିସ୍ ପାଇଥିବା ଭୋଟରମାନଙ୍କ ସମସ୍ତ ତାଲିକା ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍ ୱେବସାଇଟରେ ଅପଲୋଡ୍ କରାଯାଇଛି।
ଆଉ କେଉଁମାନଙ୍କ ନାଁ ରହିଛି ଏହି ତାଲିକାରେ?
ନୂଆଦିଲ୍ଲୀ ବିଧାନସଭା ଆସନ ଅନ୍ତର୍ଗତ ଅଞ୍ଚଳରୁ ସର୍ବାଧିକ ପ୍ରମୁଖ ଭୋଟର ଏହି ତାଲିକାରେ ଅଛନ୍ତି। ୯୮ ବର୍ଷୀୟ ଲାଲକୃଷ୍ଣ ଆଡବାଣୀ, ତାଙ୍କ ଝିଅ ପ୍ରତିଭା ଏବଂ ବୋହୂ ଗୀତିକାଙ୍କ ନାଁ ୨୦୦୨ SIR ତାଲିକା ସହ ମ୍ୟାପ୍ ହୋଇପାରି ନାହିଁ, ଯଦିଓ ତାଙ୍କ ପୁଅ ଜୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି।
ଏହାବ୍ୟତୀତ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ, ଜେଏନ୍ୟୁର ପୂର୍ବତନ ଭିସି ଏମ୍. ଜଗଦୀଶ କୁମାର, ଦିଲ୍ଲୀର ପୂର୍ବତନ ଏଲ୍ଜି ନଜୀବ ଜଙ୍ଗ, ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପଣଗଡ଼ିଆ, ସେବି ଅଧ୍ୟକ୍ଷ ତୁହିନ କାନ୍ତା ପାଣ୍ଡେ, ପୂର୍ବତନ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ସିବିଆଇ ଡାଇରେକ୍ଟର୍ ପ୍ରବୀଣ ସୂଦ ଏବଂ ଦିବଙ୍ଗତ ଅର୍ଥଶାସ୍ତ୍ରୀ ବିବେକ ଦେବରୟ ମଧ୍ଯ ଏହି ତାଲିକାରେ ଅଛନ୍ତି।
ବିନା ଶୁଣାଣିରେ କାହାରି ନାମ କଟିବ ନାହିଁ
ଦିଲ୍ଲୀ CEO ଅଫିସର କହିବା ଅନୁଯାୟୀ, ନୋଟିସ୍ ଜାରି ହେବା ମାନେ ଭୋଟର ତାଲିକାରୁ ନାମ ବାଦ ପଡ଼ିବ ବୋଲି ଭାବିବା ଅନୁଚିତ୍। ବିନା ଶୁଣାଣିରେ କାହାରି ନାମ କାଟିଦିଆଯିବ ନାହିଁ।
ନୋଟିସ୍ ପାଇଥିବା ସମ୍ପୃକ୍ତ ଭୋଟରମାନେ ନିଜର ଜବାବ ଏବଂ ଆବଶ୍ୟକୀୟ ଦସ୍ତାବିଜ୍ ଗୁଡ଼ିକୁ ସମ୍ପୃକ୍ତ ଇଲେକ୍ଟୋରାଲ୍ ପଞ୍ଜୀକରଣ ଅଧିକାରୀ (ERO) କିମ୍ବା ବୁଥ୍ ଲେଭଲ୍ ଅଧିକାରୀ (BLO) ନିକଟରେ ଦାଖଲ କରିପାରିବେ।