ପଶ୍ଚିମବଙ୍ଗରେ କୁର୍ମୀ ସମ୍ପ୍ରଦାୟକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ସରକାର ସମୟରେ ଆନ୍ଦୋଳନ ବେଳେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ଘୋଷଣା କରିଛନ୍ତି ଯେ, ଗତବର୍ଷ ହୋଇଥିବା ହିଂସାତ୍ମକ ପ୍ରତିବାଦ ଘଟଣାରେ କୁର୍ମୀ ସମ୍ପ୍ରଦାୟର ସଦସ୍ୟଙ୍କ ବିରୋଧରେ ମମତା ସରକାର ଦ୍ୱାରା ଦାୟର କରାଯାଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ। ପୁରୁଲିଆର କରାଡି ମୈଦାନରେ ଆୟୋଜିତ ବିଶାଳ 'କୁର୍ମୀ କରମ ଉତ୍ସବ'କୁ ସମ୍ବୋଧିତ କରି ଶୁଭେନ୍ଦୁ ଅଧିକାରୀ ଏହି ଘୋଷଣା କରିଛନ୍ତି। କୁର୍ମୀ ସମ୍ପ୍ରଦାୟ ସେପ୍ଟେମ୍ବର ୨୦୨୫ରେ ଜିଲ୍ଲାରେ ଅନୁସୂଚିତ ଜନଜାତି (ST) ମାନ୍ୟତା ଦାବିରେ ଆନ୍ଦୋଳନ କରିଥିଲେ।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ପୂର୍ବତନ ସରକାର ଦ୍ୱାରା ଆନ୍ଦୋଳନ ସମୟରେ କୁର୍ମୀମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ।" ସେ ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀ ଏବଂ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ପୂର୍ବତନ ସରକାର କୁର୍ମୀ ସମ୍ପ୍ରଦାୟ ମଧ୍ୟରେ "ବିଭାଜନ" ସୃଷ୍ଟି କରିଥିଲେ।
ଶୁଭେନ୍ଦୁ ଅଧିକାରୀ ଆହୁରି କହିଛନ୍ତି ଯେ, ଏହି ବର୍ଷ ଆରମ୍ଭରୁ କ୍ଷମତାକୁ ଆସିଥିବା ବିଜେପି ସରକାର, ଏପ୍ରିଲ୍ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରିବ। ସେ କ୍ଷମତା ଗ୍ରହଣ କରିବା ପରଠାରୁ କୁର୍ମୀ ସମ୍ପ୍ରଦାୟ ପାଇଁ ତାଙ୍କ ସରକାର ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।
କୁରମାଲି ଓ ରାଜବଂଶୀ ଭାଷା ଅଷ୍ଟମ ଅନୁସୂଚୀରେ ସାମିଲ ହେବ:
ସେ କହିଛନ୍ତି, "ଆମେ ଏହି ବର୍ଷର ବଜେଟରେ ଆପଣଙ୍କ ବିକାଶ ପାଇଁ ୫୦ କୋଟି ଟଙ୍କା ଦେଇଛୁ ଏବଂ ଆଗାମୀ ଦିନରେ ଏହି ଆବଣ୍ଟନକୁ ଆହୁରି ବୃଦ୍ଧି କରାଯିବ। ଆମେ କୁରମାଲି ଏବଂ ରାଜବଂଶୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ସୁନିଶ୍ଚିତ କରିବୁ।"
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ବିଜେପି ବାରମ୍ବାର ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ଦେଇଛି। ପଶ୍ଚିମାଞ୍ଚଳ ବିକାଶ ବିଭାଗ ସେମାନଙ୍କ ହାତରେ ଅଛି ଏବଂ ୧୬୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯିବ। ଏମିତି କୌଣସି ସ୍ଥାନ ରହିବ ନାହିଁ, ଯେଉଁଠାରେ ବିକାଶ ହୋଇନଥିବ।
UCC ପରିସରରୁ ବାହାରେ ରହିବେ କୁର୍ମୀ ସମ୍ପ୍ରଦାୟ:
ସେ କହିଛନ୍ତି ଯେ, ଯେତେବେଳେ ଆଦିବାସୀମାନେ ପ୍ରତିବାଦ କଲେ, ସେତେବେଳେ ସେମାନଙ୍କୁ ନିର୍ଯାତିତ କରାଗଲା। ପୂର୍ବ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କଲେ ନାହିଁ। ଆମେ କୁରମାଲି ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ କରିବୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସାନ୍ତାଳୀ ଭାଷାକୁ ମାନ୍ୟତା ଦେଇଥିଲେ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ସମାନ ନାଗରିକ ସଂହିତା (UCC) ଲାଗୁ କରାଯିବ। ଆମେ UCC ପ୍ରସ୍ତୁତ କରିବା ପାଇଁ ଏକ କମିଶନ ଗଠନ କରିଛୁ। ଆପଣଙ୍କ ଅନୁରୋଧ କ୍ରମେ, ଆମେ କୁର୍ମୀ ସମ୍ପ୍ରଦାୟକୁ UCC ର ପରିସରରୁ ବାହାରେ ରଖିଛୁ।