ଭୁବନେଶ୍ବର : ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ବା ଲେଉଟାଣି ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି ।ପଶ୍ଚିମ ରାଜସ୍ଥାନର କିଛି ଅଂଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ଆଗାମୀ ୩-୪ ଦିନ ମଧ୍ୟରେ ରାଜସ୍ଥାନର ଆହୁରି କିଛି ଅଂଶ ତଥା ପଞ୍ଜାବ ଏବଂ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରୁ ମୌସୁମୀ ବାୟୁ ଅପସାରଣ କରିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ହୋଇଛି। ତେବେ ଦେଶରୁ ମୌସୁମୀର ଲେଉଟାଣି ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ତୁରନ୍ତ ଦେଖାଯିବ ନାହିଁ ଏବଂ ରାଜ୍ୟରେ ଆସନ୍ତା ଅକ୍ଟୋବର ଦ୍ୱିତୀୟ ସପ୍ତାହ ଆଡ଼କୁ ଏହା ସମ୍ପୂର୍ଣ୍ଣ ବିଦାୟ ନେବ।
ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ନିୟାମକ ଯୋଗୁଁ ଓଡ଼ିଶାରେ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା କ୍ରମଶଃ ଘନୀଭୂତ ହୋଇ ସେପ୍ଟେମ୍ବର ୨୧ରେ ଅବପାତ ଏବଂ ୨୨ ତାରିଖ ବେଳକୁ ଗଭୀର ଅବପାତର ରୂପ ନେଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ। କେତେକ ପାଣିପାଗ ବିଭାଗ ମଡେଲ ଅନୁଯାୟୀ ଏହା ବାତ୍ୟାର ରୂପ ନେଇପାରେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।