ଭୁବନେଶ୍ୱର: ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗର-ମାଲୱାର ଏହି ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।
ଅନ୍ୟପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରଙ୍କ ସହ ରାଜ୍ୟ ସରକାର ଦୃଢ଼ ଭାବେ ଛିଡ଼ା ହୋଇଥିବା କହିଛନ୍ତି। ସେ ଅଧିକାରୀମାନଙ୍କୁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ କରି ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରିବା ଏବଂ ମୃତଦେହଗୁଡ଼ିକୁ ସମ୍ମାନର ସହ ଓଡ଼ିଶାକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ଆଗର-ମାଲୱା ଜିଲ୍ଲାର ନଲଖେଡ଼ା ସ୍ଥିତ ମାଆ ବଗଲାମୁଖୀ ମନ୍ଦିର ନିକଟରେ ବର୍ଷାରେ ଫୁଲିଥିବା ଏକ ସ୍ରୋତ ଅତିକ୍ରମ କରୁଥିବାବେଳେ କାରଟି ପ୍ରବଳ ପାଣି ସ୍ରୋତରେ ଭାସିଯାଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବନମାଳୀ ବେହେରାଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି।
ମୃତକମାନଙ୍କ ମଧ୍ୟରେ ବନମାଳୀ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ଓ ରୀତାରାଣୀ, ଜ୍ୱାଇଁ ଜ୍ଞାନେନ୍ଦ୍ର, ଦୁଇ ନାତି ଓ ଜଣେ ନାତୁଣୀ ରହିଛନ୍ତି। ସ୍ଥାନୀୟ କାର୍ ଚାଳକ କୃଷ୍ଣ ରାଜବୀରଙ୍କ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରବଳ ଜଳସ୍ରୋତ ସତ୍ତ୍ୱେ ଚାଳକ ତରବରିଆ ଭାବେ ସ୍ରୋତ ପାର ହେବାକୁ ଚେଷ୍ଟା କରିଥିଲେ। ଫଳରେ କାରଟି ନିୟନ୍ତ୍ରଣ ହରାଇ ପାଣିରେ ଭାସିଯାଇଥିଲା।