ଭୁବନେଶ୍ୱର: ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବାକୁ ସରକାର ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ଉପକୂଳରେ ହାଇଟେକ୍ ଟାୱାର ସ୍ଥାପନ କରିବା ସହିତ ବଜ୍ରପାତରୁ ରକ୍ଷା ପାଇବା ପାଇଁ ତାଳ ଗଛ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଥିବା ୫୭୩ କିଲୋମିଟର ସୁଦୀର୍ଘ ବିଶିଷ୍ଟ ସମୁଦ୍ର ବେଳାଭୂମିରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍ ସୂଚନା ପ୍ରଦାନ କରୁଥିବା ୧୨୨ଟି ଟାୱାରକୁ ଅତ୍ୟାଧୁନିକ କରାଯିବ । ବିଦ୍ୟମାନ ୪୦ଟି ବଡ଼ ଟାୱାରରେ ସାଇରନ୍ ସିଷ୍ଟମ୍, କ୍ୟାମେରା ଓ ଅତ୍ୟାଧୁନିକ ସେନ୍ସର ଖଞ୍ଜାଯିବ । ଯାହା ଦ୍ୱାରା ବିପର୍ଯ୍ୟୟ ଯଥା ବର୍ଷା, ପବନ ଓ ବାତ୍ୟାର ପୂର୍ବର ସୂଚନା ମିଳିଥାଏ । ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀମାନେ ଗୋଆ ଏବଂ କେରଳକୁ ଗସ୍ତ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।
ସେହିପରି ଚାଷ ଜମିରେ ବଜ୍ରପାତ ଯୋଗୁଁ ଅନେକ ଚାଷୀ ପ୍ରାଣ ହରାଉଛନ୍ତି । ଏହାର ମୁକାବିଲା କରିବାକୁ ସରକାର ତାଳ ଗଛ ଲଗାଇବାକୁ ଆହ୍ୱାନ କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ତାଳ ଗଛ ଚାରା ରୋପଣ ପାଇଁ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାରେ ଥିବା ପ୍ରାୟ ୧ କୋଟି ୭୧ ଲକ୍ଷ ଜମି ପଟାରେ ତାଳ ଗଛ ଲଗାଯିବାର ଲକ୍ଷ୍ୟ ରଖାଯାଇଛି । ଜମି ମାଲିକମାନଙ୍କୁ ମାଗଣାରେ ତାଳ ଗଛ ଚାରା ଯୋଗାଇ ଦିଆଯିବ । ଏହାକୁ ଲଗାଇବା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ । ତାଳ ଗଛଗୁଡ଼ିକ ପ୍ରାକୃତିକ ବଜ୍ରପାତ ନିରୋଧକ ଭାବେ କାମ କରୁଥିବାରୁ ଏହା ଚାଷୀମାନଙ୍କୁ ଜମିରେ ସୁରକ୍ଷା ପ୍ରଦାନ କରିବାରେ ସଫଳ ହେବ ଏବଂ ଜୀବନହାନି ହ୍ରାସ ପାଇବ ବୋଲି ରାଜସ୍ୱ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।