ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କୁଆଖାଇ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି।
ସୂଚନା ଅନୁଯାୟୀ ବାଲିଅନ୍ତା ଥାନା ଅନ୍ତର୍ଗତ ସତ୍ୟଭାମାପୁର ପଞ୍ଚାୟତ ସାଇ ମନ୍ଦିର ନିକଟରେ ଚାରି ଜଣ ସାଙ୍ଗ ଭୋଜି କରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ଏବେ ବନ୍ୟାଜଳ ପ୍ରବାହିତ ଥିବା କାରଣରୁ ଗାଧୋଇବା ବେଳେ ହଠାତ୍ ଦୁଇ ଜଣ ନଦୀର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ।
ନିଖୋଜ ଯୁବକ ଦୁଇ ଜଣ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ ବୋଲି ଜଣାପଡ଼ିଛି । ଦିବ୍ୟଜ୍ୟୋତିଙ୍କ ଘର ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ବେଳେ ରୁଦ୍ର ନାରାୟଣଙ୍କ ଘର ଧଉଳି ଅଞ୍ଚଳରେ । ଉଭୟଙ୍କ ବୟସ ପ୍ରାୟ ୨୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ଖବର ପାଇ ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।