ଭୁବନେଶ୍ବର : ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ କୌଣସି କର୍ମଚାରୀଙ୍କୁ ହେଡକ୍ବାଟର ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବର୍ଷାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାଘାଟରେ ପାଣି ଜମିବା ଏବଂ ଅନ୍ୟାନ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜରୁରୀ ପରିସ୍ଥିତିରେ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ଦାୟିତ୍ୱରେ ଉପସ୍ଥିତ ରହିବେ।
ସେହିପରି ମାଲକାନଗିରି ଜିଲ୍ଲାରେ ମଧ୍ଯ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ବଡ଼ ବର୍ଷା ଆସୁଥିବାରୁ ୨୩, ୨୪, ୨୫ ତାରିଖ ପାଇଁ ଛୁଟି ବାତିଲ୍। ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମାଲକାନଗିରି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସତୀଗୁଡ଼ା, ବାଲିମେଳା ଜଳଭଣ୍ଡାରରେ ମାଛ ଧରିବା ବାରଣ କରାଯାଇଛି। ଜିଲ୍ଲାର ୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି।
ଅନ୍ୟପଟେ ବାତ୍ୟା ହେବନାହିଁ, ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ୨୩ ସକାଳେ ଉପକୂଳରେ ପହଁଚିବ ଗଭୀର ଅବପାତ । ଭୁବନେଶ୍ବରରୁ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।