ଭବାନୀପାଟଣା: ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଏକ ମାମଲାରେ କଳାହାଣ୍ଡିର ଜଣେ ଯୁବକଙ୍କୁ କଠୋର ଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ଅଦାଲତ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ଆମ୍ପାଣି ଗାଁର ସୁଶାନ୍ତ ବାଘ ଓରଫ ସୁସାନ୍ତ ବାଘ। ୨୦୨୧ ମସିହା ନଭେମ୍ବର ୧୭ ତାରିଖରେ କାକିରିଗୁମ୍ମା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସେତେବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ମାମଲାର ଶୁଣାଣି ସମୟରେ ସାକ୍ଷୀଙ୍କ ବୟାନ, ପ୍ରମାଣ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧିର ଧାରା ୩୬୬, ୩୭୬(୨)(ଏନ୍) ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।
ଏହା ସହ ପୀଡ଼ିତାଙ୍କ ପୁନର୍ବାସ ଓ ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପି. ସନ୍ୟାସୀ ରାଓ ମାମଲା ପରିଚାଳନା କରିଥିଲେ। ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ଆସିଥିବା ଏହି ରାୟକୁ ନାବାଳିକାଙ୍କ ବିରୋଧରେ ଘଟୁଥିବା ଯୌନ ଅପରାଧ ମାମଲାରେ ଏକ କଠୋର ବାର୍ତ୍ତା ବୋଲି ଦେଖାଯାଉଛି।