ମୟୁରଭଞ୍ଜ: ଉଦଳା ଥାନା ପୁରୁଣାପାଣି ଗ୍ରାମରେ ଚଢ଼ଉ ପାଇଁ ଯାଇଥିବାବେଳେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି । ବିନା ଆଇଡି କାର୍ଡରେ ଚଢ଼ଉ ପାଇଁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ଉଦଳା ବିଦ୍ୟୁତ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ର ୫ ରୁ ଅଧିକ କର୍ମଚାରୀ ପୁରୁଣାପାଣି ଗ୍ରାମରେ ଚଢ଼ାଉ କରିଥିଲେ । ହୁକ ପକାଇ ବିଦ୍ୟୁତ ଚୋରି ହେଉଥିବା ଅଭିଯୋଗରେ ଚଢ଼ାଉ କରିଥିଲେ । ଚିତ୍ତରଞ୍ଜନ ଜେନାଙ୍କ ଫାର୍ମ ହାଉସରେ ଚଢ଼ାଉ କରିବାବେଳେ ସେଠାରେ ଅଚାନକ ଗ୍ରାମର କିଛି ଯୁବକ ବିରୋଧ କରିଥିଲେ । ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ପେଲାଠେଲା କରିଥିଲେ । ଯେଉଁଥିରେ ବିଭାଗୀୟ କର୍ମଚାରୀ ଆହତ ହୋଇଥିଲେ, ଏପରିକି ପ୍ରାଣାନ୍ତକ ଆକ୍ରମଣ କରିଥିଲେ ଯୁବକ ମାନେ । ଜଣଙ୍କ କାନରୁ ରକ୍ତ ବାହାରୁଥିବାବେଳେ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯାହା ପରେ ସେଠାରୁ ଖସି ଆସି ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଦ୍ୟୁତ ବିଭାଗ କର୍ମଚାରୀ।
କନସ୍ଲଣ୍ଟାଣ୍ଟ ସୁରେଶ ଚନ୍ଦ୍ର ଜେନା କହିଛନ୍ତି ଯେ ଚିତ୍ତରଞ୍ଜନ ଉପରେ ପୂର୍ବରୁ ଦୁଇ ଦୁଇ ଥର ବିଦ୍ୟୁତ ଚୋରି ଅଭିଯୋଗରେ ଫାଇନ୍ ହୋଇଛି । ଟିମ୍ ରୁଟିନ୍ ଚେକିଂରେ ଯାଇଥିବାବେଳେ ପୁଣି ହୁକ ପଡ଼ିଥିବା ଦେଖିଥିଲେ । ପ୍ରମାଣ ପାଇଁ ଭିଡ଼ିଓ ରେକର୍ଡିଂ କରୁଥିବାବେଳେ ଆକ୍ରମଣ ହୋଇଥିଲା । କୁକୁଡ଼ା ଫାର୍ମ ପାଇଁ ହୁକ ପକାଇଥିବା ସେ କହିଛନ୍ତି ।
ସେପଟେ ଚଢ଼ାଉ ହୋଇଥିବା ଫାର୍ମ ହାଉସର ମାଲିକ ଚିତ୍ତରଞ୍ଜନ ନାୟକ ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିଳମ୍ବିତ ରାତିରେ ବିନା ଆଇଡି କାର୍ଡ ଏବଂ ପରିଚୟରେ ଚଢ଼ାଉ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ଏପରିକି ବିଦ୍ୟୁତ ବିଭାଗ କର୍ମଚାରୀ ଚିତ୍ତରଞ୍ଜନଙ୍କ ମାଆଙ୍କୁ ପେଲା ଠେଲା କରିଥିବା ସେ କହିଛନ୍ତି। ପୋଲିସ ମାମଲାରେ ଯାଞ୍ଚ କରୁଛି ।