ଭୁବନେଶ୍ୱର: ପ୍ରେମ ଓ ଉପହାରର ଇଚ୍ଛା ଶେଷରେ ଜଣେ ଯୁବକଙ୍କୁ ଅପରାଧର ରାସ୍ତାକୁ ନେଇଗଲା। ଭାବୀ ପତ୍ନୀଙ୍କୁ ଦାମୀ ଉପହାର ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସେ ସାଙ୍ଗମାନଙ୍କ ସହ ମିଶି ମୋବାଇଲ୍ ଲୁଟ୍ କରିଥିଲା। ହେଲେ ସିସିଟିଭି ଫୁଟେଜ୍ ତା'ର ସମସ୍ତ ଯୋଜନାକୁ ପଣ୍ଡ କରିଦେଇଛି। ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଥାନା ପୋଲିସ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଏବେ ମଧ୍ୟ ଫେରାର ରହିଛନ୍ତି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ୟୁନିଟ୍-୬ରେ ରହୁଥିବା ନୟାଗଡ଼ ଓଡ଼ଗାଁର ରାକେଶ ନାୟକ ଓରଫ ରଥି ଏବଂ ତାଙ୍କ ସହଯୋଗୀ ଦେବବ୍ରତ ବରାଳ। ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ପୋକୋ ମୋବାଇଲ୍ ଓ ଅପରାଧରେ ବ୍ୟବହୃତ ପଲସର ବାଇକ୍ ଜବତ କରାଯାଇଛି।
ପୋଲିସ ସୂଚନା ଅନୁସାରେ, କିଛିଦିନ ପୂର୍ବେ ନାଗେଶ୍ୱର ଟାଙ୍ଗୀ ରାଧାବଲ୍ଲଭ ମଠ ନିକଟରେ ଜଣେ ଯୁବତୀ ରାସ୍ତାରେ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ହାତରୁ ମୋବାଇଲ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ପରେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କ ପରିଚୟ ଠାବ କରିଥିଲା।
ପଚରାଉଚରା ବେଳେ ରାକେଶ ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ତାଙ୍କ ବିବାହ ସ୍ଥିର ହୋଇଥିଲା ଏବଂ ଭାବୀ ପତ୍ନୀଙ୍କୁ ଉପହାର ଦେବା ପାଇଁ ଟଙ୍କାର ଆବଶ୍ୟକତା ଥିଲା। ଟଙ୍କା ନଥିବାରୁ ସେ ସାଙ୍ଗମାନଙ୍କ ସହ ମିଶି ମୋବାଇଲ୍ ଲୁଟ୍ କରିବାର ଯୋଜନା କରିଥିଲେ।
ପୋଲିସ କହିଛି ଯେ, ମୁଖ୍ୟ ଅଭିଯୁକ୍ତ ରାକେଶ ନାୟକଙ୍କ ନାମରେ ପୂର୍ବରୁ ଦୁଇଟି ଆପରାଧିକ ମାମଲା ରହିଛି। ଗିରଫ ହୋଇଥିବା ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।