କଳାହାଣ୍ଡି: କଳାହାଣ୍ଡି ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବାଘଛାଲ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରି ବନବିଭାଗ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ବାଘଛାଲ ସହ ବାଘର ନଖ ଓ ଦାନ୍ତ ଜବତ କରାଯାଇଛି।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ବେହେରା ଫରେଷ୍ଟ ସେକ୍ସନର ଡହଗାଁ ଅଞ୍ଚଳରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ବନବିଭାଗ ପାଖରେ ପହଞ୍ଚିଥିଲା। ଏହାପରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଏସିଏଫଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ଅଭିଯୁକ୍ତ ସୁକେନ ଗୌଡ଼, ଯିଏକି ନବରଙ୍ଗପୁର ଜିଲ୍ଲାର ହିର୍ଲିଡଙ୍ଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି, ତାଙ୍କ ନିକଟରୁ ବାଘଛାଲ, ନଖ ଓ ଦାନ୍ତ ଜବତ କରାଯାଇଥିଲା। ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏହି ଚୋରାଚାଲାଣ ରାକେଟ୍ରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବାଘଛାଲ କେଉଁଠାରୁ ଆସିଥିଲା ଓ କେଉଁଠାକୁ ଚାଲାଣ ହେବାକୁ ଯାଉଥିଲା, ସେନେଇ ବନବିଭାଗ ତଦନ୍ତକୁ ଜୋରଦାର କରିଛି। ଏହି ଘଟଣା ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ବନବିଭାଗର ବଡ଼ ସଫଳତା ବୋଲି ଚର୍ଚ୍ଚା ହେଉଛି।