ଭୁବନେଶ୍ୱର: ଚଳିତ ମାସ ୧୬ ତାରିଖରେ ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଖୁରାନିଆଙ୍କ ସ୍ଥାନରେ କାହାକୁ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ସମ୍ଭାଳିବାକୁ ସରକାର ବାଛିବେ ସେ ନେଇ ଆଜି ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ଆଜି ନୂଆଦିଲ୍ଲୀରେ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ହେବାର ଆଶା କରାଯାଉଛି ।
ତିନି ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁପିଏସି ଚୟନ କମିଟି ବୈଠକରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ମଧ୍ୟ ଉପସ୍ଥିତ ରହିବେ ।ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ଗୃହ ବିଭାଗ ସଚିବ, କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ଅନ୍ୟ ରାଜ୍ୟ କ୍ୟାଡରର ଜଣେ କେନ୍ଦ୍ରୀୟ ପୋଲିସ ସଂଗଠନର ମୁଖ୍ୟ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ପ୍ରମୁଖ ଉପସ୍ଥିତ ରହିବେ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମୁଖିଆ ଚୟନ ନେଇ ଆଲୋଚନା କରାଯିବ । ରାଜ୍ୟ ସରକାର ଡିଜିପି ପଦ ପାଇଁ ୧୧ ଜଣ ଅଧିକାରୀଙ୍କ ନାଁ ପଠାଯାଇଛି । ବରିଷ୍ଠତା ଆଧାରରେ ୩ ଜଣ ଆଇପିଏସ୍ ଅଧିକାରୀଙ୍କ ନାଁରେ ୟୁପିଏସସି ଚୟନ କମିଟି ନାମ ସୁପାରିଶ କରିବେ । ତନ୍ମଧ୍ୟରୁ ସରକାର ଜଣଙ୍କ ନାଁ ଉପରେ ଅନ୍ତିମ ମୋହର ମାରିବେ ।
ଅଗଷ୍ଟ ୧୬ ତାରିଖରେ ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି । ୧୯୯୦ ବ୍ୟାଚ୍ ଆଇପିଏସ୍ ଖୁରାନିଆଙ୍କ କାର୍ଯ୍ୟକାଳ ୨୦୨୪ ଅଗଷ୍ଟ ୧୬ ତାରିଖରୁ ଶେଷ ହେବାକୁ ଥିଲା । ମାତ୍ର ରାଜ୍ୟ ସରକାର ଖୁରାନିଆଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ବୃଦ୍ଧି କରିଥିଲେ ।
ତେବେ ଡିଜିପି ପଦବୀ ପାଇଁ ୩ ଜଣଙ୍କ ନାମ ଦୌଡ଼ରେ ରହିଛି । ବରିଷ୍ଠତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ସୁଶାନ୍ତ ନାଥ ଓ ୧୯୯୩ ବ୍ୟାଚ୍ ଆଇପିଏସ୍ ଆର୍ ପି କୋଚେଙ୍କ ନାମ ସର୍ବାଗ୍ରେ ରହିଛି । ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ସରକାର ମୋହର ମାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୧୦ ତାରିଖ ସୁଦ୍ଧା ନୂଆ ନାମ ଘୋଷଣା ହେବାର ରହିଛି ।