ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଡମ୍ବାତାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାପ କାମୁଡ଼ାରେ ମା’ ଏବଂ ୭ ବର୍ଷ ପୁଅର ମୃତ୍ୟୁ ହୋଇଛି । ମୃତକ ହେଲେ ଅଜୟ କୁମାର ବଡରଇତଙ୍କ ପତ୍ନୀ ଲଳିତା ବଡ଼ରଇତ (୩୦) ଓ ପୁଅ ଅମିତ କୁମାର ବଡରଇତ (୭) ।
ସୂଚନା ଅନୁଯାୟୀ, ଅଜୟ କୁମାର ବଡରଇତ ଗତକାଲି ରାତିରେ ପତ୍ନୀ ଲଳିତା, ପୁଅ ଅମିତ ଓ ଦେଢ଼ ବର୍ଷର ଝିଅ ଘରେ ଶୋଇଥିଲେ। ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା। ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ଅଜୟ ଓ ଦେଢ଼ ବର୍ଷର ଝିଅ ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି । ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।