ଦେବଗଡ଼: ପୂର୍ବତନ ଦେବଗଡ଼ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଜ୍ୱାଇଁ ଗିରଫ । ଝିଅକୁ ଯୌତୁକ ନିର୍ଯ୍ୟାତନା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଜ୍ୱାଇଁ ସବସାଚୀ ମିଶ୍ରଙ୍କୁ ଗିରଫ କରାଯାଇଛି ।
ଗତ ଏପ୍ରିଲ ୧୩ ତାରିଖରେ ସୁବାସଙ୍କ ଝିଅ ସୋନାଲି ପାଣିଗ୍ରାହୀ ସ୍ୱାମୀ ସବ୍ୟସାଚୀଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଉକ୍ତ ଅଭିଯୋଗ ଆଧାରରେ ସବ୍ୟସାଚୀଙ୍କୁ ଅନୁଗୋଳ ଜିଲ୍ଲାରୁ ଦେବଗଡ଼ ପୋଲିସ ଗିରଫ କରିଛି ।
୮ ଡିସେମ୍ବର, ୨୦୨୩ରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନସ୍ଥ ଜିଜିପି କଲୋନୀ ବାସିନ୍ଦା ଚିନ୍ମୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କ ସହିତ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ସୋନାଲି ପାଣିଗ୍ରାହୀଙ୍କର ବିବାହ ହୋଇଥିଲା । ବିବାହର କେଇଟା ମାସ ପରେ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ୮ ମାର୍ଚ୍ଚ, ୨୦୨୪ରେ ନବବିବାହିତ ଦମ୍ପତ୍ତି ଗୋଆ ବୁଲିବାକୁ ଯାଇଥିଲେ । ସୋନାଲୀଙ୍କ ଶାଶୂ ଗୋଆ ଯିବା ପୂର୍ବରୁ ବୋହୂର ସମସ୍ତ ସୁନା ଅଳଙ୍କାର ଲକରରେ ରଖିଦେବାକୁ କହି ମାଗି ନେଇଥିଲେ ।
ଗୋଆରୁ ଉଭୟ ଫେରିବା ପରେ ସୋନାଲୀଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ବାପା ଘରୁ ଆହୁରି ଟଙ୍କା ସୁନା ଆଣିବାକୁ ମାନସିକ ଚାପ ପକାଇଥିଲେ । ଏମିତି ସ୍ୱାମୀ ନିଶା ସେବନ ମଧ୍ୟ କରୁଥିଲେ । ଏ ନେଇ ସୋନାଲୀ ଶାଶୁ ଶ୍ୱଶୁରଙ୍କୁ ଜଣାଇବାକୁ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଏହା ପରେ ସୋନାଲୀଙ୍କୁ ନିଜ ନାମରେ ଏକ ଘର ନେଇ ସ୍ୱାମୀ ସହିତ ଅଲଗା ରହିବାକୁ ଶ୍ୱଶୁର ନିଜେ ପରାମର୍ଶ ଦେଇଥିଲେ । ସୋନାଲୀ ମଧ୍ୟ ପରିବାର ଲୋକଙ୍କୁ କହି ଅନୁଗୋଳରେ ଏକ ଘର କିଣିଥିଲେ । କିନ୍ତୁ ସ୍ୱାମୀ ସବ୍ୟସାଚୀ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ । ନିଜ ନାମ ନ ହେଲେ ତାଙ୍କ ମା (ସବ୍ୟସାଚୀଙ୍କ ମା)ରେ ଘର କିଣିବାକୁ ସବ୍ୟସାଚୀ ସୋନାଲୀଙ୍କ ଉପରେ ଚାପ ପକାଇଥିଲେ । ଅନୁଗୋଳରେ ସୋନାଲୀ ନିଜ ଭାଇଙ୍କ ସହିତ ଆଲୋଚନା କରିବାକୁ ଯାଇଥିବାବେଳେ ସୋନାଲୀ ରାଜି ନ ହେବାରୁ ସ୍ୱାମୀ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏପରିକି ସୋନାଲିଙ୍କର ତଣ୍ଟିଚିପି ହତ୍ୟା ଉଦ୍ୟମ କରିବାରୁ ସୋନାଲି ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କ ଭାଇ ଏବଂ ଡ୍ରାଇଭର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତତ୍କାଳୀନ ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ଝିଅର ସଂସାର ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସବ୍ୟସାଚୀ ଜାଗା କିଣିବାକୁ ଜିଦ ଧରି ବସିଥିଲେ ।
ଶେଷରେ ସୋନାଲି ବାଧ୍ୟ ହୋଇ ଗତ ଏପ୍ରିଲ ୧୩ ତାରିଖରେ ଦେବଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ସବ୍ୟସାଚୀଙ୍କୁ ଅନୁଗୋଳରୁ ଗିରଫ କରିବାପରେ କୋର୍ଟଚାଲାଣ କରିଥିବା ଜଣାପଡିଛି ।