ମୁମ୍ବାଇ: ଧର୍ମଘଟରେ ବସିଥିବା ଡାକ୍ତରମାନଙ୍କୁ ବମ୍ବେ ହାଇକୋର୍ଟ ଅତ୍ୟନ୍ତ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରୋଗୀଙ୍କ ଜୀବନକୁ ବିପଦରେ ପକାଇ କୌଣସି ପରିସ୍ଥିତିରେ ଡାକ୍ତରମାନେ ଧର୍ମଘଟ କରିପାରିବେ ନାହିଁ। ଶୁଣାଣି ସମୟରେ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରି ପ୍ରଶ୍ନ କରିଛନ୍ତି, "ଯଦି ଧର୍ମଘଟ ଯୋଗୁଁ କୌଣସି ରୋଗୀର ମୃତ୍ୟୁ ହୁଏ, ତେବେ ତୁମେ କ'ଣ ମଲା ଲୋକଙ୍କୁ ପୁଣି ଜୀବନ ଦେଇପାରିବ?"
କ'ଣ ଥିଲା ପୂରା ବିବାଦ?
ମହାରାଷ୍ଟ୍ର ସରକାରଙ୍କ ଏକ ସରକାରୀ ସଂକଳ୍ପ ବିରୋଧରେ ରାଜ୍ୟର ଡାକ୍ତର ଏବଂ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନ ଓ ଧର୍ମଘଟର ପନ୍ଥା ଆପଣାଇଥିଲେ। ହୋମିଓପାଥି ଡାକ୍ତରମାନଙ୍କୁ ମହାରାଷ୍ଟ୍ର ମେଡିକାଲ କାଉନସିଲ୍ (MMC)ରେ ପଞ୍ଜୀକୃତ ହେବାକୁ ଏବଂ ଆଧୁନିକ ଇଂରାଜୀ ଔଷଧ ପ୍ରେସକ୍ରାଇବ୍ କରିବାକୁ ସରକାର ଅନୁମତି ଦେଇଥିବା ନିଷ୍ପତ୍ତିକୁ ଡାକ୍ତରୀ ସଂଗଠନଗୁଡ଼ିକ ତୀବ୍ର ବିରୋଧ କରିଥିଲେ। ଏହି ପ୍ରତିବାଦରେ ଡାକ୍ତରମାନେ କାମବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ।
ଡାକ୍ତରମାନଙ୍କ ଏଭଳି ଧର୍ମଘଟ ଯୋଗୁଁ ସାଧାରଣ ରୋଗୀମାନେ ହନ୍ତସନ୍ତ ହେଉଥିବା ଦେଖି ବମ୍ବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରବିନ୍ଦ୍ର ଘୁଗେ ଏବଂ ଜଷ୍ଟିସ ଗୌତମ ଅଙ୍କାଡ଼ଙ୍କ ଖଣ୍ଡପୀଠ ଏହି ମାମଲାରେ ନିଜଆଡୁ ସ୍ୱତଃପ୍ରବୃତ୍ତ ହୋଇ ମାମଲା ରୁଜୁ କରିଥିଲେ।
ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, କାରଖାନାରେ ଧର୍ମଘଟ ହେଲେ ଅର୍ଥ କିମ୍ବା ବ୍ୟବସାୟିକ କ୍ଷତି ହୋଇଥାଏ, କିନ୍ତୁ ଡାକ୍ତରମାନଙ୍କ କ୍ଷେତ୍ରରେ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଏଠାରେ ସିଧାସଳଖ ମଣିଷ ଜୀବନ ଜଡ଼ିତ। ଆପଣମାନେ ଆନ୍ଦୋଳନରେ ଜିତିଯିବେ, କିନ୍ତୁ ଧର୍ମଘଟ ସମୟରେ ଯେଉଁ ରୋଗୀମାନେ ପ୍ରାଣ ହରାଇବେ, ସେମାନଙ୍କ ଜୀବନ କ'ଣ ଆଉ ଫେରି ପାଇବେ?"
କୋର୍ଟ ଆହୁରି ମଧ୍ୟ ଚେତାବନୀ ଦେଇଥିଲେ ଯେ, ଯଦି ଡାକ୍ତରମାନେ ତୁରନ୍ତ କାମକୁ ନ ଫେରନ୍ତି, ତେବେ ସେମାନଙ୍କର ଦରମା ବନ୍ଦ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯିବ। ଏପରିକି ଆଇସିୟୁ ସେବା ମଧ୍ୟ ବନ୍ଦ କରାଯିବ ବୋଲି ଯେଉଁ ଚେତାବନୀ ଦିଆଯାଇଥିଲା, ତାହାକୁ ନେଇ କୋର୍ଟ ଗଭୀର ଉଦବେଗ ପ୍ରକାଶ କରିଥିଲେ।
ଧର୍ମଘଟ ପ୍ରତ୍ୟାହାର କଲେ ଡାକ୍ତର
କୋର୍ଟଙ୍କ ଏଭଳି କଡ଼ା ଆଭିମୁଖ୍ୟ ଓ ଚେତାବନୀ ପରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ଏବଂ ମହାରାଷ୍ଟ୍ର ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ (MARD) ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା। ତେବେ ଡାକ୍ତରମାନେ ଆଇନଗତ ଭାବେ ସେମାନଙ୍କର ଅଭିଯୋଗ ଜାରି ରଖିପାରିବେ ବୋଲି କୋର୍ଟ କହିଛନ୍ତି।