ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଅନେକ ସ୍ଥାନରେ କାନ୍ଥ ଭୁଷୁଡ଼ିବା ଖବର ସାମନାକୁ ଆସିଛି। ମୟୂରଭଞ୍ଜଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ମୋରଡ଼ା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲୋକଙ୍କ ଦୁର୍ଦ୍ଦଶାର କାରଣ ପାଲଟିଛି। ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡ଼ିବାରୁ ଘରେ ଶୋଇଥିବା ବେଳେ କାନ୍ଥ ତଳେ ଚାପି ହୋଇ ଜଣେ ବୟସ୍କ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ମୋରଡ଼ା ଥାନା ଅଧିନ ନୁହାଝାଳିଆ ପଞ୍ଚାୟତ ନୁହାଝାଳିଆ ଗ୍ରାମର କଙ୍କା ହାଁସଦାଙ୍କ ପୁଅ ରୁହ୍ୟା ହାଁସଦା (୫୬) ଗତ ବୁଧବାର ରାତିରେ ଘରେ ଶୋଇଥିବା ବେଳେ ହଠାତ୍ ଘରର କାନ୍ଥ ଭୁଶୁଡି ରୁହ୍ୟାଙ୍କ ଉପରେ ପଡିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଖବର ପାଇ ମୋରଡ଼ା ଥାନା ଏସଆଇ ନିବେଦିତା ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ୨୮/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ମୃତ ରୁହ୍ୟାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହଁ ତେଣୁ ପକ୍କା ଘର ସହିତ ଆବଶ୍ୟକ ଓ ଉପଯୁକ୍ତ ସରକାରୀ ସହାୟତା ରୁହ୍ୟାଙ୍କ ପରିବାରକୁ ଯୋଗାଇ ଦିଆଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।