ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ 'ବିନା ବୀମାରେ ପେଟ୍ରୋଲ ମିଳିବ ନାହିଁ' (No Insurance, No Petrol) ନିୟମ ଚର୍ଚ୍ଚାରେ ରହିଥିବାବେଳେ ଏବେ ଓଡ଼ିଶାରେ ମଧ୍ୟ ଏହା ଲାଗୁ ହେବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବା ନେଇ ବିଚାର କରାଯାଉଥିବା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭ ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। କିନ୍ତୁ ଏହା ମଧ୍ୟରୁ ବହୁସଂଖ୍ୟକ ଯାନର ବୀମା କରାଯାଇ ନାହିଁ। ସୁପ୍ରିମକୋର୍ଟ ଥାର୍ଡ଼ ପାର୍ଟି ଇନ୍ସୁରାନ୍ସ ଉପରେ ବିଶେଷ ଗୁରୁତ୍ୱ ଦେଇଥିବାବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ରାଜ୍ୟର ସମସ୍ତ ଟୋଲ୍ ଗେଟ୍ରେ ବିନା ବୀମା ଥିବା ଗାଡ଼ିଗୁଡ଼ିକୁ ଚାଲାଣ କଟାଯାଉଛି। ବାରମ୍ବାର ଚାଲାଣ କଟିବା ପରେ ମଧ୍ୟ ଯଦି ଲୋକେ ନିୟମ ନ ମାନନ୍ତି, ତେବେ ଗାଡ଼ିଗୁଡ଼ିକୁ ସିଜ୍ କରାଯାଉଛି। ତେବେ ଏହି ବ୍ୟବସ୍ଥାକୁ ଆହୁରି ଅଧିକ କଡ଼ାକଡ଼ି କରାଯିବା ଜରୁରୀ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି।
'ନୋ ପଲ୍ୟୁସନ ସାର୍ଟିଫିକେଟ୍' ଭଳି କଡ଼ା ପଦକ୍ଷେପ
ପୂର୍ବରୁ ରାଜ୍ୟରେ 'ନୋ ପଲ୍ୟୁସନ, ନୋ ସାର୍ଟିଫିକେଟ୍' ନିୟମ କାର୍ଯ୍ୟକାରୀ ହେବା ବେଳେ ବେଶ୍ ହଇଚଇ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ପ୍ରାଥମିକତା କେବଳ ଜରିମାନା କିମ୍ବା ଦଣ୍ଡବିଧାନ କରିବା ନୁହେଁ, ବରଂ ସାଧାରଣ ଜନତା ଯେପରି ନିୟମ ମାନିବେ ତାହା ହେଉଛି ମୂଳ ଲକ୍ଷ୍ୟ। ସେତେବେଳେ ଲୋକଙ୍କ ସଚେତନତା ଯୋଗୁଁ ବହୁସଂଖ୍ୟକ ଲୋକ ପଲ୍ୟୁସନ ସାର୍ଟିଫିକେଟ୍ କରିଥିଲେ। ଠିକ୍ ସେହିପରି, ଏବେ 'ନୋ ଇନ୍ସୁରାନ୍ସ' ମାମଲାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖିଆଗରେ ରଖି କଡ଼ା ପଦକ୍ଷେପ ନିଆଯିବ।
ଲୋକଙ୍କ ସୁରକ୍ଷା ସର୍ବୋପରି
ଜନସାଧାରଣଙ୍କ ସୁରକ୍ଷିତ ଯାତ୍ରା ଏବଂ ଜୀବନର ନିରାପତ୍ତା ପାଇଁ ଯାହାସବୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା କଥା, ରାଜ୍ୟ ସରକାର ତାହା ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ 'ନୋ ଇନ୍ସୁରାନ୍ସ, ନୋ ପେଟ୍ରୋଲ୍' ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।
Also read: NEP-2020 ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ହେବ ବାଧ୍ୟତାମୂଳକ; ସରକାରୀ କାର୍ଯ୍ୟାଳୟରୁ ଆଇଟି କମ୍ପାନୀ ପର୍ଯ୍ୟନ୍ତ ସୃଷ୍ଟି ହେବ ସୁଯୋଗ