ବଡ଼ବିଲ: ଠକ ବାପ ପୁଅଙ୍କୁ ବାନ୍ଧିଲା ପୁଲିସ। ବଡ଼ବିଲ ପୁଲିସକୁ ମିଳିଛି ଏକ ବଡ ସଫଳତା। ବଡ଼ ଜାଲିଆତିର କରିଛି ପର୍ଦ୍ଦାଫାଶ । ଗିରଫ ବାପ ପୁଅ ଦୁଇ ଜଣ ଏକାଧିକ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟର ଜମା ଅର୍ଥକୁ ଜାଲିଆତି କାଗଜପତ୍ର ଓ ବ୍ୟାଙ୍କ ଖାତାର ବେଆଇନ ପରିଚାଳନା କରୁଥିବା ଜଣାପଡିଛି। ଗିରଫ ବାପ ପୁଅ ହେଲେ ଜସପ୍ରୀତ ସିଂହ ଓ ବିକ୍ରମ ସିଂହ।
ସୂଚନା ଅନୁସାରେ ବଡ଼ବିଲ ବାସିନ୍ଦା ଅନିତା ଅଗ୍ରୱାଲଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୩୪ ହଜାର ଟଙ୍କା ହଡ଼ପ ହେବାନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ବଡ଼ବିଲ ପୁଲିସ୍ କେସ ନଂ ୧୩୧/୨୬, ଭିତ୍ତି କରି ପ୍ରାଥମିକ ତଦନ୍ତ ସମୟରେ ଅଭିଯୋଗକାରିଣୀ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରିବା ସହ, ବ୍ୟାଙ୍କ୍ ଦସ୍ତାବିଜ ଏବଂ କଲ୍ ଡିଟେଲ୍ ରେକର୍ଡ (CDR) ସମେତ ବିଭିନ୍ନ ଯାଞ୍ଚ କରିଥିଲା ।
ତଦନ୍ତ ରୁ ଜଣା ପଡିଛି ଯେ ମୁଖ୍ୟ ଅଭିଯୁକ୍ତ ପୁଅ ଜସପ୍ରୀତ ସିଂହ ଓରଫ ଜସି, ଆଇସିଆଇସିଆଇ ବ୍ୟାଙ୍କର ଜଣେ ରିଲେସନସିପ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକମାନଙ୍କ ବିଶ୍ୱାସର ସୁଯୋଗ ନେଇ ଗ୍ରାହକ ଘରକୁ ଯାଇ ବ୍ୟାଙ୍କିଂ ସେବା ଯୋଗାଇବା ଆଳରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜାଲିଆତି କରୁଥିଲେ। ଦସ୍ତଖତ ଜାଲିଆତି କରିବା, ନକଲି ଫିକ୍ସଡ୍ ଡିପୋଜିଟ୍ (FD) ରସିଦ ପ୍ରଦାନ କରିବା, ପ୍ରକୃତ FDକୁ ସମୟ ପୂର୍ବରୁ ବନ୍ଦ କରିବା, ଗ୍ରାହକଙ୍କ ବିନା ଅନୁମତି ରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବା, ଗ୍ରାହକଙ୍କ ଖାତାକୁ ବେଆଇନ ଭାବେ ପରିଚାଳନା କରିବା ଏବଂ ବିଭିନ୍ନ "ମ୍ୟୁଲ୍ ଆକାଉଣ୍ଟ" ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରି ଏହି ଠକେଇ କାର୍ଯ୍ୟ କରୁଥିଲା। ମୁଖ୍ୟ ଅଭିଯୁକ୍ତ କୁ ଗତ ୩ ତାରିଖରେ କୋଲକାତାରୁ ଗିରଫ କରାଯାଇଥିବାବେଳେ, ଏହି ଜାଲିଆତି କାର୍ଯ୍ୟରେ ଜସପ୍ରୀତଙ୍କ ପିତା ବିକ୍ରମ ସିଂହଙ୍କ ଥିବା ପୁଲିସ ଜାଣିବାପରେ,ଗୁରୁବାର ୬ ତାରିଖରେ ପୁଲିସ ବିକ୍ରମଙ୍କୁ ମଧ୍ୟ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତ ଜସପ୍ରୀତଙ୍କ ଘର ମିନାଲ କଲୋନିରେ ହୋଇଥିବାବେଳେ ବାପା ବିକ୍ରମ ସିଂହ ୧୫ ନମ୍ୱର୍ ୱାର୍ଡର ବାସିନ୍ଦା ବୋଲି ଜଣାଯାଇଛି। ବଡ଼ବିଲ ଥାନା କେସ ନମ୍ବର ୧୩୧/୨୬ ରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।