ମୁମ୍ବାଇ: ବଲିଉଡ୍ର 'ଭାଇଜାନ୍' ସଲମାନ ଖାନ ପୁଣି ଥରେ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆସାମରେ ଭୟଙ୍କର ବନ୍ୟାରେ ସବୁକିଛି ହରାଇଥିବା ପରିବାରମାନଙ୍କ ପାଇଁ ସେ ସହାୟତାର ହାତ ବଢ଼ାଇଛନ୍ତି। 'ଆଶିୟାନା ହୋପ୍ ବିଗିନ୍ସ ୱିଥ୍ ଏ ସେଫ୍ ଶେଲ୍ଟର' ଅଭିଯାନ ସହ ଯୋଡ଼ି ହୋଇ ସଲମାନ ବନ୍ୟା ପୀଡ଼ିତଙ୍କୁ ସୁରକ୍ଷିତ ବାସସ୍ଥାନ ଯୋଗାଇବାର ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି।
ଏହି ଅଭିଯାନର ଲକ୍ଷ୍ୟ ହେଉଛି, ବନ୍ୟାରେ ଘର ହରାଇଥିବା ପରିବାରମାନଙ୍କୁ ପୁଣିଥରେ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଆଶ୍ରୟ ଯୋଗାଇ ଦେବା। ଆସାମର ନେପାଳୀ ଖୁଟି ଅଞ୍ଚଳରେ ଘର ନିର୍ମାଣ କାମ ଆରମ୍ଭ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨୦ଟି ସେମି-ସ୍ଥାୟୀ ଘର ନିର୍ମାଣ ଶେଷ ହୋଇଥିବା ବେଳେ ଅନେକ ପରିବାର ସୁରକ୍ଷିତ ଛାତ ତଳେ ରହିବାର ସୁଯୋଗ ପାଇଛନ୍ତି।
ଏହି ପ୍ରକଳ୍ପର ଅନ୍ତିମ ଲକ୍ଷ୍ୟ ହେଉଛି ମୋଟ ୫୦୦ଟି ଘର ନିର୍ମାଣ କରିବା। ଏହା ମାଧ୍ୟମରେ ଶହ ଶହ ପରିବାରଙ୍କୁ କେବଳ ଘର ନୁହେଁ, ବରଂ ନୂଆ ଆଶା, ସୁରକ୍ଷା ଓ ସମ୍ମାନ ସହ ଜୀବନ ଆରମ୍ଭ କରିବାର ସୁଯୋଗ ମିଳିବ। ସଲମାନ ଖାନଙ୍କ ସମର୍ଥନ ପରେ ଏହି ଅଭିଯାନ ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି।
ସଲମାନ ଖାନଙ୍କ ସମାଜସେବା ନୂଆ କଥା ନୁହେଁ। କ୍ୟାନ୍ସର ରୋଗୀଙ୍କ ସହାୟତା, ହଜାର ହଜାର ଶିଶୁଙ୍କ ଶିକ୍ଷାର ଖର୍ଚ୍ଚ ବହନ କରିବାଠାରୁ ଆରମ୍ଭ କରି ବିଭିନ୍ନ ବିପର୍ଯ୍ୟୟ ସମୟରେ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହେବା ପର୍ଯ୍ୟନ୍ତ ସେ ସବୁବେଳେ ଆଗରେ ରହିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସକ 'ରିଅଲ୍ ଲାଇଫ୍ ହିରୋ' ବୋଲି ସମ୍ବୋଧନ କରୁଛନ୍ତି।
ଆସାମ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ସଲମାନଙ୍କ ବ୍ୟତୀତ ଅନ୍ୟ କଳାକାରମାନେ ମଧ୍ୟ ଆଗକୁ ଆସିଛନ୍ତି। ଅଭିନେତା ରଣଦୀପ ହୁଡ୍ଡା ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିବା ବେଳେ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ତେବେ ସଲମାନ ଖାନଙ୍କ ଏହି ପଦକ୍ଷେପ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ଆସି ବିପର୍ଯ୍ୟସ୍ତ ପରିବାରଙ୍କ ସହାୟତା କରିବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।