ନୂଆଦିଲ୍ଲୀ: ଆଜି ଜମ୍ମୁ କାଶ୍ମୀରରେ ଏକ ସନ୍ଦିଗ୍ଧ ସ୍କର୍ପିଓ ଗାଡ଼ି ଭାରତୀୟ ସେନାର ନିଦ ହଜାଇ ଦେଇଛି । ରାମବନ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ପରେ ଗାଡ଼ିରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଶୁକ୍ରବାର ଭୋର ପ୍ରାୟ ୩:୩୦ ସମୟରେ ରାମବନ ଜିଲ୍ଲାରେ ଏକ ସନ୍ଦିଗ୍ଧ ସ୍କୋର୍ପିଓ ଗାଡ଼ି ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାତ୍ରା କରୁଥିଲା। ଯେଉଁଥିରେ ତିନି ଜଣ ଯାତ୍ରୀ ଥିଲେ । ରାମବନରେ ଚେକ୍ ପୋଷ୍ଟ ନିକଟରେ ପୁଲିସ ଟିମ୍ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ଗାଡ଼ିଟି ଦ୍ରୁତ ଗତିରେ ଫାଟକ ଭାଙ୍ଗି ପଳାଇବାକୁ ଚେଷ୍ଟା କରିଥିଲା । ଏହାକୁ ଦେଖିବା ପରେ ପୁଲିସ ଟିମ୍ ଗାଡ଼ିକୁ ପିଛା କରିଥିଲା । ସମଗ୍ର ଅଞ୍ଚଳକୁ ହାଇଆଲର୍ଟରେ ରଖି ସର୍ଚ୍ଚ ଅପରେସନ୍ ଜାରି କରାଯାଇଥିଲା ।
ଚେକ୍ପୋଷ୍ଟ ଉଲ୍ଲଂଘନ ଖବର ପାଇବା ମାତ୍ରେ ଜାତୀୟ ରାଜପଥ-୪୪ ରେ ହାଇଆଲର୍ଟ ଜାରି କରାଯାଇଥିଲା । ପ୍ରାୟ ୮-୯ କିଲୋମିଟର ପିଛା କରିବା ପରେ ଚନ୍ଦରକୋଟ ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ପାପ୍ରିୟାନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ସ୍କୋର୍ପିଓଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ଗାଡି ଭିତରେ ଥିବା ତିନି ଜଣ ସନ୍ଦିଗ୍ଧ ଯୁବକ ଗାଡିଟିକୁ ସେଠାରେ ଛାଡି ନିକଟସ୍ଥ ପାପ୍ରିୟା ପିରାର ଘନ ଜଙ୍ଗଲରେ ଲୁଚି ଯାଇଥିଲେ ।
ପୁଲିସ, ସିଆରପିଏଫ୍ ଏବଂ ସେନା ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । କିନ୍ତୁ ଅନ୍ଧାର ରାତି ଥିବାରୁ ସେମାନଙ୍କୁ ଖୋଜି ପାଇବା ସମ୍ଭବ ହୋଇନଥିଲା । ଅନ୍ୟପକ୍ଷରେ ଗାଡ଼ିରୁ ମିଳିଥିବା ସାମଗ୍ରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗାଡ଼ିର ପଛ ସିଟରେ ଗୋବର ପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ଗାଡ଼ିରେ ବେଆଇନ ଗୋରୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ଗାଡ଼ିରେ ଗୋରୁ ମାନଙ୍କୁ ଘୋଡ଼ାଇ ରଖିଥିବେ ଏବଂ ପରେ ସୁଯୋଗ ଦେଖି ବାହାର କରିଦେଇଥିବାର ଅନୁମାନ କରାଯାଉଛି ।