ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଏକ ପ୍ରମୁଖ ହବ୍ରେ ପରିଣତ କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ନୂଆଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’ ଇନଭେଷ୍ଟର୍ସ ସମିଟ୍ ଓ ରୋଡ୍ଶୋ ଅବସରରେ ଦେଶର ଆଗଧାଡ଼ିର ଶିଳ୍ପପତିମାନଙ୍କ ସହ ଏକାନ୍ତ ବୈଠକ କରିଛନ୍ତି।
ସରକାର-ଟୁ-ବିଜନେସ୍ (G2B) ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିବେଶ ପ୍ରସ୍ତାବ, ପ୍ରକଳ୍ପ କାର୍ଯ୍ୟକାରିତା ଓ ଓଡ଼ିଶାରେ ଶିଳ୍ପ ବିସ୍ତାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ Chiripal Polyfilmsର CEO ସୁମନ୍ତ ସିଂଘଲ, Hindustan Coca-Cola Beveragesର CEO ହେମନ୍ତ ରୁପାଣୀ, Balaji Wafersର ନିର୍ଦ୍ଦେଶକ ଶ୍ୟାମ ବିରାଣୀ ଓ କେଉର ବିରାଣୀ, Let's Tryର CEO ବିନୋଦ କୈରା ଏବଂ Beyond Snacksର ପ୍ରତିଷ୍ଠାତା ମାନସ ମଧୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କମ୍ପାନୀଗୁଡ଼ିକ ସହ ଓଡ଼ିଶା ସରକାର ପୂର୍ବରୁ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିସାରିଛନ୍ତି। ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ୍ ମିଡିଆରେ କୁହାଯାଇଛି ଯେ, ଆଲୋଚନାର ମୁଖ୍ୟ ଲକ୍ଷ୍ୟ ଥିଲା ନିବେଶ ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରିବା, ଶିଳ୍ପ ସଂସ୍ଥାଗୁଡ଼ିକ ସହ ଦୀର୍ଘମିଆଦି ସହଭାଗିତାକୁ ସୁଦୃଢ଼ କରିବା ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା।
ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଓଡ଼ିଶା ସରକାର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ, ସମୟବଦ୍ଧ ଅନୁମୋଦନ ଓ ନିରନ୍ତର ସମନ୍ୱୟ ଯୋଗାଇ ଦିଆଯିବ, ଯାହାଦ୍ୱାରା ନିବେଶ ପ୍ରତିଶ୍ରୁତି ଶୀଘ୍ର ବାସ୍ତବ ପ୍ରକଳ୍ପରେ ପରିଣତ ହୋଇପାରିବ।
‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’ ମାଧ୍ୟମରେ ୧୦ ହଜାର କୋଟି ଟଙ୍କାର ନିବେଶ ଆକର୍ଷଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ନିବେଶ ଦ୍ୱାରା ରାଜ୍ୟରେ ନୂଆ ଶିଳ୍ପ ସ୍ଥାପନ, ରୋଜଗାର ସୃଷ୍ଟି ଓ ଅନ୍ତର୍ଭୁକ୍ତିମୂଳକ ଶିଳ୍ପ ବିକାଶକୁ ନୂଆ ଗତି ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।