ଭୁବନେଶ୍ୱର: ହସ୍ତତନ୍ତ ଶିଳ୍ପର ସୁରକ୍ଷା, ପ୍ରୋତ୍ସାହନ ଓ ଆଧୁନିକୀକରଣ ଦିଗରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ IDCO ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରି ବାବୁ କମ୍ଭମ୍ପାଟି ଭର୍ଚୁଆଲ୍ ମାଧ୍ୟମରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ହସ୍ତତନ୍ତ ଓ ବୟନଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ଜଗତସିଂହପୁରରେ 'କସ୍ତା ହ୍ୟାଣ୍ଡଲୁମ୍ ଭବନ', ଯାଜପୁରର ସୁକିନ୍ଦାରେ ତସର ସିଲ୍କ ପାର୍କ (ପ୍ରଥମ ପର୍ଯ୍ୟାୟ) ଓ ଫ୍ୟାସିଲିଟି ସେଣ୍ଟର, କଟକର ଅଭିମାନପୁରରେ AI ଆଧାରିତ ହ୍ୟାଣ୍ଡଲୁମ୍ ଓ ଆପାରେଲ୍ ପାର୍କ, ଗୁଜରାଟର ଅହମ୍ମଦାବାଦ ଓ ରଘୁରାଜପୁରରେ 'ରେଶମ ଓଡ଼ିଶା' ଶୋ'ରୁମ୍, ସାତଟି ମିନି ଗାର୍ମେଣ୍ଟ ୟୁନିଟ୍, ତିନୋଟି ବୟନ ସମବାୟ ବିକ୍ରୟ କେନ୍ଦ୍ର ଏବଂ ଖୋର୍ଦ୍ଧାର ରାଉତପଡ଼ାରେ ଏକ ଫ୍ୟାବ୍ରିକ୍ କ୍ୟାଲେଣ୍ଡରିଂ ୟୁନିଟ୍ର ଶୁଭାରମ୍ଭ କରାଯାଇଛି।
ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ହସ୍ତତନ୍ତ କ୍ଷେତ୍ରରେ ଭିତ୍ତିଭୂମି ମଜବୁତ ହେବା ସହ ବୁଣାକାରଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ଓ ବଜାର ସୁଯୋଗ ଅଧିକ ବ୍ୟାପକ ହେବ ବୋଲି ଆଶା କରାଯାଉଛି।
କାର୍ଯ୍ୟକ୍ରମରେ Amazon Karigar, Grasim India Ltd. ଓ Zuby’s Designer Studio ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଥିଲା। ଏହା ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତକୁ ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ଅଧିକ ପରିଚିତ କରିବା ସହ ସସ୍ଥାୟୀ ଫ୍ୟାଶନକୁ ପ୍ରୋତ୍ସାହନ ମିଳିବ।
ରାଜ୍ୟପାଳ କହିଥିଲେ, ହସ୍ତତନ୍ତ କେବଳ ଏକ ଶିଳ୍ପ ନୁହେଁ, ଏହା ଓଡ଼ିଶାର ପରମ୍ପରା, କୌଶଳ, ସ୍ୱାଭିମାନ ଓ ଆତ୍ମନିର୍ଭରତାର ପ୍ରତୀକ। ସେ ବୁଣାକାରମାନଙ୍କ ଅବଦାନର ପ୍ରଶଂସା କରିଥିଲେ।
ଏହି ଅବସରରେ ବରପାଲିର ବିଶିଷ୍ଟ ବୁଣାକାର ଡଃ ସୁରେନ୍ଦ୍ର ମେହେରଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ଏହାଛଡ଼ା ଛଅଜଣ ବିଶିଷ୍ଟ ବୁଣାକାର ଏବଂ ଚାରିଜଣଙ୍କୁ ତନ୍ତକୃତି ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ 'ପ୍ରତ୍ୟେକଙ୍କ ଜୀବନରେ ହସ୍ତତନ୍ତର ଏକ ଅଂଶ' ବାର୍ତ୍ତା ସହ ଓଡ଼ିଶାର ବୟନଶିଳ୍ପକୁ ସମର୍ଥନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।