ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲାରୁ ଆସିଛି ଚିନ୍ତାଜନକ ସ୍ୱାସ୍ଥ୍ୟ ଖବର। କଟକ ଜିଲ୍ଲାର ବାଙ୍କୀରେ ଡାଇରିଆ ଆତଙ୍କ ଖେଳାଇଥିବା ବେଳେ ବାଲେଶ୍ୱରରେ ଭୋଜି ଖାଇବା ପରେ ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
କଟକ ଜିଲ୍ଲା ବାଙ୍କୀ ବ୍ଲକ କାଳିପୋଇ ପଞ୍ଚାୟତର କରଡାପଲି ଗାଁରେ ଗତ ଦୁଇ ଦିନ ମଧ୍ୟରେ ୫୦ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହିଳା, ପୁରୁଷଙ୍କ ସହ ଛୋଟ ଛୋଟ ଶିଶୁ ମଧ୍ୟ ରହିଛନ୍ତି। ଅସୁସ୍ଥମାନଙ୍କୁ କଳପଥର ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।
ଗ୍ରାମବାସୀଙ୍କ ସନ୍ଦେହ ଯେ, ଦୂଷିତ ପିଇବା ପାଣି ଯୋଗୁଁ ଏହି ଡାଇରିଆ ବ୍ୟାପିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଶା ଓ ଅଙ୍ଗନୱାଡି କର୍ମୀମାନେ ଘର ଘର ବୁଲି ଓଆରଏସ ଓ ଆବଶ୍ୟକ ଔଷଧ ବଣ୍ଟନ କରୁଛନ୍ତି। ଖୋଲା କୂଅରେ ବ୍ଲିଚିଂ ପାଉଡର ମଧ୍ୟ ପକାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସୁବର୍ଣ୍ଣପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ ଏପର୍ଯ୍ୟନ୍ତ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁରେ ପହଞ୍ଚିନାହାନ୍ତି।
ସେପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଖରିଦା ଗ୍ରାମରେ ଏକ ଘର ପ୍ରତିଷ୍ଠା ଉତ୍ସବରେ ଭୋଜି ଖାଇବା ପରେ ୭୦ରୁ ଅଧିକ ଲୋକ ଅଚାନକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୩୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।
ରାଜ୍ୟର ଦୁଇଟି ଜିଲ୍ଲାରେ ପରପରି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଲୋକଙ୍କୁ ବିଶୁଦ୍ଧ ପାଣି ପିଇବା, ସଫା-ସୁଥା ଖାଦ୍ୟ ଖାଇବା ଓ ଝାଡ଼ାବାନ୍ତିର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।