ଭୁବନେଶ୍ୱର: ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ଘଟୁଥିବା ଭୂସ୍ଖଳନକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଭୂସ୍ଖଳନ ଆଶଙ୍କା ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତାଗୁଡ଼ିକୁ ଚିହ୍ନଟ କରି ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସରକାର ବିଭିନ୍ନ ଡିଭିଜନରୁ ପ୍ରକଳ୍ପ ପ୍ରସ୍ତାବ ମାଗିଛନ୍ତି।
ସରକାରଙ୍କ ଯୋଜନା ଅନୁସାରେ, ଭୂସ୍ଖଳନ ପ୍ରଭାବିତ ରାସ୍ତାଗୁଡ଼ିକର ସୁରକ୍ଷା ଏବଂ ସ୍ଥାୟୀ ସମାଧାନ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF)ରୁ ଅର୍ଥ ବ୍ୟୟ କରାଯିବ।
ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ, ଜୟପୁର, ସୁନାବେଡା, ମାଲକାନଗିରି, ନବରଙ୍ଗପୁର, ବାରିପଦା, କରଞ୍ଜିଆ, ରାୟଗଡ଼ା, ଗୁଣୁପୁର ଓ ଗଜପତି ସମେତ ବିଭିନ୍ନ ଡିଭିଜନର ଅଧୀକ୍ଷଣ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ପଠାଇବାକୁ କୁହାଯାଇଛି।
ଏହି ପ୍ରସ୍ତାବରେ ରିଟେନିଂ ୱାଲ୍, ଢାଳ ସ୍ଥିରୀକରଣ, ଉନ୍ନତ ଡ୍ରେନେଜ୍, ରକ୍ଫଲ୍ ସୁରକ୍ଷା, ଷ୍ଟୋନ୍ ପିଚିଂ ଏବଂ ବାୟୋ-ଇଞ୍ଜିନିୟରିଂ ଭଳି ସ୍ଥାୟୀ ବ୍ୟବସ୍ଥା ସାମିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ସମ୍ପୃକ୍ତ ଡିଭିଜନକୁ ୭ ଦିନ ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ବର୍ଷା ଋତୁରେ ଜନଜୀବନ ଓ ଯାତାୟାତକୁ ସୁରକ୍ଷିତ ରଖିବା ସହ ଭବିଷ୍ୟତରେ ଭୂସ୍ଖଳନ ଜନିତ କ୍ଷୟକ୍ଷତି କମାଇବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ବୋଲି ସୂଚନା ମିଳିଛି।