ରାୟଗଡ଼ା: ଭୁଲ ଇଞ୍ଜେକ୍ସନ ଦେବା ଫଳରେ ମହିଳା ମୃତ୍ୟୁ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛିI ମୃତ ମହିଳା ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର (୫୪) I
ସୂଚନାରୁ ଜଣାପଡିଛି ଯେ ମୃତ ବିଦିଆ କୁମାରଙ୍କୁ କିଛି ଦିନ ହେଲା ଥଣ୍ଡା ଜ୍ୱର ହୋଇଥିଲା I ଔଷଧ ଖାଇ ଭଲ ନ ହେବାରୁ ଗୁରୁବାର ଚାନ୍ଦିଲି ଅଞ୍ଚଳର ଗୋଟିଏ ମେଡ଼ିସିନ ଷ୍ଟୋରକୁ ଯାଇଥିଲେ I ସେଠାରେ ଜଣେ କାର୍ଯ୍ୟରତ କର୍ମଚାରୀ ଏ କେ ଭତ୍ରା ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ I ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ମହିଳାଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା ଏବଂ ସେ ଗୁରୁତର ହୋଇ ପଡ଼ିଥିଲେ I
ତେବେ ସଙ୍ଗେ ସଙ୍ଗେ ମହିଳାଙ୍କୁ ରାୟଗଡ଼ା ଜିଲ୍ଲା ଜେକେ ପୁର ସ୍ଥିତ ଇଏସଆଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରିବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା I ଏନେଇ ପରିବାରବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ ପରେ ଚାନ୍ଦିଲି ପୁଲିସ ମେଡ଼ିସିନ ଷ୍ଟୋରରେ ଇଞ୍ଜେକ୍ସନ୍ ଦେଇଥିବା ଏ କେ ଭତ୍ରାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି I