ବାଲେଶ୍ୱର: ଜଳେଶ୍ୱର ବ୍ଲକ ବର୍ତ୍ତନାଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରିଦା ଗ୍ରାମରେ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥମାନଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁମାନେ ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଜି.କେ. ଭଟ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ କିଛି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଖରିଦା ଗ୍ରାମରେ ଆୟୋଜିତ ଏକ ଭୋଜି ଉତ୍ସବରେ ବହୁ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଭୋଜି ଖାଇବାର କିଛି ସମୟ ପରେ ଅନେକଙ୍କ ମଧ୍ୟରେ ଝାଡ଼ା, ବାନ୍ତି, ପେଟ ବ୍ୟଥା ଓ ଦୁର୍ବଳତା ଭଳି ଲକ୍ଷଣ ଦେଖାଦେଇଥିଲା । ପରିସ୍ଥିତି ଗୁରୁତର ହେବାରୁ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାମାନେ ଅସୁସ୍ଥମାନଙ୍କୁ ତୁରନ୍ତ ଜଳେଶ୍ୱରସ୍ଥିତ ଜି.କେ. ଭଟ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହଠାତ୍ ଏତେ ସଂଖ୍ୟକ ରୋଗୀ ହସ୍ପିଟାଲରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇଥିଲା। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। କିଛି ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଫୁଡ୍ ପଏଜନିଂ ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।