ଢେଙ୍କାନାଳ : ବଜ୍ରଘାତରେ ଚାଲିଗଲା ଦୋକାନୀଙ୍କ ଜୀବନ । ଆଜି ଗୁରୁବାର ଅପରାହ୍ନରେ କଙ୍କଡାହାଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଜ୍ରାଘାତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ପ୍ରଶାନ୍ତ ଗାଁ ଛକରେ ଥିବା ନିଜ ଦୋକାନରେ ଅନ୍ୟ ଦୁଇଜଣଙ୍କ ସହ ବସିଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ସେହିପରି ଅନ୍ୟ ଏକ ବଜ୍ରାଘାତ ଘଟଣାରେ କଙ୍କଡ଼ାହାଡ଼ ଥାନା କରଗୋଳା ଗାଁ ଦେବଗଣ ସାହିର କାୟାର ଗୋପ ଗୁରୁତର ଆହତ ହୋଇଛନ୍ତି। ସେ ଗାଁ ନିକଟସ୍ଥ ପଡ଼ିଆରେ ଗାଈ ଚରାଉଥିବା ବେଳେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି।