ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ବେଙ୍ଗାଲୁରୁରୁ କମିଶନରେଟ୍ ପୋଲିସ ଗିରଫ କରିଛି । ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଅଣାଯାଇଛି । ଏନେଇ ସିପି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଜଳଖିଆ ଖାଇବା ବାହାନାରେ ଅଭିଯୁକ୍ତ ମହିଳା ଥାନା ପୋଲିସର ହେପାଜତରୁ ଫେରାର ହୋଇଯାଇଥିଲା । ଏହାପରେ କ୍ୟାପିଟାଲ ଥାନାରେ ଏନେଇ ମାମଲା ରୁଜୁ ହେବା ସହ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ସହ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ବେଙ୍ଗାଲୁରୁରେ ଲୁଚିଥିବା ସୂଚନା ମିଳିବା ପରେ ପୋଲିସ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିଥିଲା । ଜଣେ ମହିଳାଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ରୁଦ୍ର ପ୍ରସାଦ ସୁତାରଙ୍କୁ ଭଦ୍ରକରୁ ଉଠାଇ ଆଣି ମହିଳା ଥାନାରେ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା । ହେଲେ ସେଠାରୁ ତାଙ୍କ ଫେରାର ଘଟଣା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା ।
ଏଥିପାଇଁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ଫେରାର ବେଳେ ଡିସିଓ ଦାୟିତ୍ୱରେ ଥିବା ଏଏସଆଇ ତିଳୋତ୍ତମା ପୃଷ୍ଟି ଓ ସେଣ୍ଟ୍ରି ପ୍ରଦୀପ୍ତ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଥିଲା ।