ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟ ପରେ ରାଜ୍ୟ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ରାଜ୍ୟରେ ଜଣେ ଲେଖାଏଁ ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟରେ ଯଥାଶୀଘ୍ର ଆବଶ୍ୟକ ଶିକ୍ଷକ ନିଯୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ସଚିବ ଡା. ଏନ୍ ଥିରୁମାଲା ନାଏକ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।
ନିକଟରେ ୟୁଡିଆଇଏସ୍ଇ ପ୍ଲସ ରିପୋର୍ଟ ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ନିଦ ହଜାଇ ଦେଇଥିଲା । ଏହା ପରେ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ୟୁଡିଆଇଏସଇ (UDISE) ତଥ୍ୟ ଦର୍ଶାଉଛି ଯେ ରାଜ୍ୟରେ ବହୁ ସଂଖ୍ୟକ ସରକାରୀ ସ୍କୁଲ ବର୍ତ୍ତମାନ କେବଳ ଜଣେ ଶିକ୍ଷକଙ୍କ ସହିତ କାର୍ଯ୍ୟ କରୁଛି । ଯାହା ଶିକ୍ଷାର ଗୁଣବତ୍ତା ଉପରେ ପ୍ରତିକୂଳ ପ୍ରଭାବ ପକାଏ ଏବଂ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ସହିତ ଅସଙ୍ଗତ । ଶିଶୁମାନଙ୍କ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ର ଧାରା ୧୯ ଏବଂ ୨୫ ଅନୁସାରେ ନିର୍ଦ୍ଧାରିତ ଛାତ୍ର-ଶିକ୍ଷକ ଅନୁପାତ (PTR) ଏବଂ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସର୍ବନିମ୍ନ ଶିକ୍ଷକ ସଂଖ୍ୟା ଅନ୍ତର୍ଭୁକ୍ତ।
ତେଣୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏକକ ଶିକ୍ଷକ ବିଦ୍ୟାଳୟର ସ୍ଥିତିକୁ ତୁରନ୍ତ ସମୀକ୍ଷା କରି ଶିକ୍ଷକ ନିଯୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଛି । ତେବେ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ପ୍ରକାଶତ ୟୁଡିଆଇଏସ୍ଇ ପ୍ଲସ ୨୦୨୫-୨୬ ଶିକ୍ଷା ବର୍ଷର ରିପୋର୍ଟ ଅନୁସାରେ ଓଡ଼ିଶାରେ ମୋଟ ୬୧ ହଜାର ୫୯୪ଟି ବିଦ୍ୟାଳୟ ରହିଛି । ଯେଉଁଥିରେ ୭୭ ଲକ୍ଷ ୮୮ ହଜାର ୫୬୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ପାଠ ପଢ଼ାଉଛନ୍ତି ୩୪ ହଜାର ୧ ହଜାର ୯୦୯ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଜଣେ ଲେଖାଏଁ ଶିକ୍ଷକରେ ରାଜ୍ୟରେ ୧୪୫୮ଟି ବିଦ୍ୟାଳୟ ଚାଲିଛି । ଆଉ ସେହି ବିଦ୍ୟାଳୟରେ ୫୯ ହଜାର ୬୭୨ ଜଣ ପିଲା ନାମ ଲେଖାଇଛନ୍ତି ।