ଭୁବନେଶ୍ୱର: ବାଲିଅନ୍ତାରେ ଜିଆର୍ପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । ଦୀର୍ଘ ଚାରି ମାସ ପରେ ପ୍ରମାଣ ଅଭାବରୁ ୬ ଜଣଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ଜାମିନ ମିଳିବା ପରେ ସମ୍ପୃକ୍ତ ୬ ଜଣ ଝାରପଡ଼ା ଜେଲରୁ ମୁୁକୁଳିଛନ୍ତି । ଅନ୍ୟ ତିନି ଜଣ ମଧ୍ୟ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।
ଗତ ବୁଧବାର କ୍ରାଇମବ୍ରାଞ୍ଚ ସୌମ୍ୟ ହତ୍ୟା ମାମଲାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୭୬୭ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଥିଲା । କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଗିରଫ ୨୦ ଜଣଙ୍କ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଜଣଙ୍କୁ ଦୋଷୀ ଦର୍ଶାଯାଇଥିଲା । ଦୋଷୀ ୧୧ ଅଭିଯୁକ୍ତ ହେଲେ ଯୁଧିଷ୍ଠିର ଜେନା, ରଞ୍ଜିତ ପାତ୍ର, ପଞ୍ଚାନନ ବଡ଼ଜେନା, ବିନୋଦ କୁମାର ବେହେରା, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ, ଅଶୋକ କୁମାର ଜେନା, ରଞ୍ଜିତ ରଣା, ବିଭୂତି ଭୂଷଣ ପରିଡ଼ା, ସୁବାସ ଭୋଇ, ସ୍କାଏଲାବ୍ ପତି ଓ ବିସ୍ମୟ ମହାନ୍ତି ।
ମାତ୍ର ଆବଶ୍ୟକୀୟ ପ୍ରମାଣ ଅଭାବରୁ ୯ ଜଣଙ୍କୁ ଚାର୍ଜସିଟରେ ବାଦ ଦିଆଯାଇଥିଲା । ସେହିପରି ବାଦ ପଡ଼ିଥିବା ୯ ଅଭିଯୁକ୍ତଙ୍କୁ ବାଲିଅନ୍ତା ବାଲିଅନ୍ତା ପୋଲିସ ଗିରଫ କରିଥିଲା । ସନ୍ତୋଷ ପତି, ସୂରଜ ଓଝା, ସଂଗ୍ରାମ ଭୋଇ, ପ୍ରମୋଦ ଜେନା, ବଣ୍ଟି ଜେନା, ସୁରଜିତ ରଣା, ଅଭିଷେକ କର, ସଦାନନ୍ଦ ଖୁଣ୍ଟିଆ ଓ ବିକ୍ରମ କେଶରୀ ଦାସ । ଏମାନଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚଙ୍କୁ ବଳିଷ୍ଠ ପ୍ରମାଣ ମିଳିନଥିଲା । ତେବେ କେଉଁ ଆଧାରରେ ପୋଲିସ ଗିରଫ କରିଥିଲା ତାହା ସାଧାରଣରେ ପ୍ରଶ୍ନ ଉଠିଛି ।
ସେମାନଙ୍କୁ ମଧ୍ୟରୁ ୬ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ଆହୁରି ୫ରୁ ୬ ଜଣ ଫେରାର ରହିଛନ୍ତି ।
ଗତ ମେ ମାସ ୭ ତାରିଖରେ ବାଲିଅନ୍ତା ରାମଚନ୍ଦ୍ରପୁର କାଜ ନିକଟରେ ଏକ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ ହୋଇଥିଲା । ମୃତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ଏବଂ ତାଙ୍କ ସାଙ୍ଗ ଓମ୍ ପ୍ରକାଶ ବାଇକରେ ଯାଉଥିବାବେଳେ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟି ସହିତ ଦୁର୍ଘଟଣା ହୋଇଥିଲା । ଏହି ସମୟରେ ସୌମ୍ୟ ବାଇକରୁ ଓହ୍ଲାଇ ଜଣେ ଝିଅଙ୍କୁ ବାଡ଼ାବାଡ଼ି କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ସୌମ୍ୟଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ସୌମ୍ୟଙ୍କୁ ଏକ ଡାଲା ଅଟୋରେ ପକାଇ ହସ୍ପିଟାଲ ନିଆଯାଇଥିଲା । ସବୁଠାରୁ ବିଚଳିତ କରିବା ଦୃଶ୍ୟ ଥିଲା ସୌମ୍ୟଙ୍କୁ ଏକ ବାଉଁଶରେ ବାନ୍ଧି ଗାଡ଼ିରେ ପକାଇ ଯାଇଥିଲା । ଖାଲି ସେତିକି ନୁହେଁ ସେଠାରେ ପୋଲିସ ନିରବଦ୍ରଷ୍ଟା ସାଜିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।