ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ବିଶେଷକରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।
ଭୀଷଣ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୧୯ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ ଓ ଯାଜପୁର । ବାକି ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗ଼ଡ଼, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ।
ସେପଟେ ବର୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୁଣି ତତ୍ପର ହୋଇପଡ଼ିଛି । ଏ ନେଇ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ ରାଜ୍ୟର ୨୪ ଜିଲ୍ଲା ବନ୍ୟା ପାଇଁ ପ୍ରଭାବିତ ହୋଇଛି । ଆଗକୁ ବର୍ଷା ଆହୁରି ବିପଦ ସୃଷ୍ଟି କରିପାରେ । ପ୍ରାୟ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସତର୍କ ସୂଚନା ଆଧାରରେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ସହ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି ।