ମୟୂରଭଞ୍ଜ : ଟଙ୍କା ହଡପ ମାମଲାରେ ଦୁଇ ପୂର୍ବତନ ବ୍ଯାଙ୍କ କର୍ମଚାରୀ ଙ୍କୁ ଗିରଫ କଲା ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ (ଏମସିସିବି) ଲିମିଟେଡ୍ର ବହଳଦା ଶାଖାରେ ପ୍ରାୟ ୬୪.୪୨ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଓ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଗୁରୁବାର ଦୁଇ ଜଣ ପ୍ରାକ୍ତନ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ବହଳଦା ଶାଖାର ପୂର୍ବତନ ମ୍ୟାନେଜର ଦିଚେନ୍ କୁମାର ମିଶ୍ର ଏବଂ କର୍ମଚାରୀ ମଳୟ କୁମାର ଦତ୍ତ।
ଓଡ଼ିଶା ଭିଜିଲାନ୍ସର ବ୍ୟାପକ ତଦନ୍ତ ଅନୁଯାୟୀ, ୨୦୧୯ ରୁ ୨୦୨୪ ମସିହା ମଧ୍ୟରେ ଏହି ଅଭିଯୁକ୍ତମାନେ ବ୍ୟାଙ୍କର ଅନ୍ୟ ୩ ଜଣ ସହଯୋଗୀ କର୍ମଚାରୀଙ୍କ ସହ ମିଶି ହେରଫେର କରିଥିଲେ । ଗ୍ରାହକମାନଙ୍କ ଅଜାଣତରେ ଓ ବିନା ସମ୍ମତିରେ ସେମାନଙ୍କର ୨୪ ଟି ଅସଲି ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ବିପରୀତରେ କାଗଜପତ୍ର ଜାଲିଆତି କରି ନକଲି 'ଲୋନ୍ ଏଗନେଷ୍ଟ ଟର୍ମ ଡିପୋଜିଟ୍' ଆକାଉଣ୍ଟ ଖୋଲାଯାଇଥିଲା। ଏହି ଚଞ୍ଚକତା ମାଧ୍ୟମରେ ଅଭିଯୁକ୍ତମାନେ ସମୁଦାୟ ୬୪,୪୨,୦୭୪ ଟଙ୍କା ହଡ଼ପ କରି ନିଜସ୍ୱ କାର୍ଯ୍ୟରେ ବିନିଯୋଗ କରିଥିଲେ।
ଏହି ଘଟଣାରେ ବାଲେଶ୍ଵର ଭିଜିଲାନ୍ସ ଥାନାରେ ବୁଧବାର ମାମଲା ନଂ-୧୪ ରୁଜୁ କରାଯାଇଥିଲା । ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ୍, ୨୦୧୮ ର ଧାରା ୧୩(୨) r/w ୧୩(୧)(a) ଏବଂ ଭାରତୀୟ ପିଙ୍ଗଳ କୋଡ୍ (IPC) ର ୪୦୯/୧୨୦-ବି ଦଫାରେ ଏହି କେସ୍ ଦାୟର ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ବାରିପଦାସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କୁ ଚାଲାଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।