ଭୁବନେଶ୍ୱର : ପ୍ରସ୍ତାବିତ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର କଳିଙ୍ଗ ହସ୍ପିଟାଲ ଛକରେ ୨ଟି ସ୍ଥାନରେ ଏହାର କାମ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆହୁରି ତ୍ୱରାନ୍ୱିତ ହୋଇଛି। ଏହା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଟ୍ରାଫିକ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରୀ ଜାରି କରାଯାଇଛି। ମାଟି ପରୀକ୍ଷା ଯୋଗୁ ଆଗାମୀ ଦେଢ଼ ମାସ ଧରି ଏହି ବ୍ୟସ୍ତବହୁଳ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି।
କଳିଙ୍ଗ ଷ୍ଟାଡିୟମର ୭ ଏବଂ ୮ ନମ୍ବର ଗେଟ୍, ପାଲ୍ ହାଇଟ୍ସ ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କିଟ୍ ଛକ ସହିତ ସହରର ୧୮୦ ଟି ସ୍ଥାନରେ ଏହି ମାଟି ପରୀକ୍ଷା ହେବ।
ସୂଚନା ଅନୁଯାୟୀ ମାଟି ପରୀକ୍ଷା ପ୍ରକ୍ରିୟା ସମୟରେ ରାସ୍ତାର କିଛି ଅଂଶକୁ ଅସ୍ଥାୟୀ ଭାବରେ ଅବରୋଧ କରାଯିବ । ଏହାର ଫଳସ୍ୱରୂପ ଟ୍ରାଫିକ ସମସ୍ୟା ହେବା ସହ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଯଥାସମ୍ଭବ ଏହି ରାସ୍ତାକୁ ଏଡ଼ାଇବାକୁ ଏବଂ ଯାତ୍ରା ସମୟ କମାଇବା ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ଏହି ମାଟି ପରୀକ୍ଷା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ନିଜର ଯାତ୍ରା ପାଇଁ ପୂର୍ବରୁ ଯୋଜନା କରିବାକୁ ଟ୍ରାଫିକ ପୁଲିସ ଜନତାଙ୍କୁ ଅନୁରୋଧ କରିଛି। ଏହା ସହିତ ରାସ୍ତାରେ ନିୟୋଜିତ ଥିବା ଟ୍ରାଫିକ କର୍ମଚାରୀଙ୍କୁ ସହଯୋଗ କରିବା ନିବେଦନ କରାଯାଇଛି।