ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ପରିଚାଳନାର ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ଆଜି ପୂର୍ବାହ୍ନ ୧୦ଟାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ବାରିପଦା, ରାଇରଙ୍ଗପୁର, ସାରସକଣା, ବାଙ୍ଗରୀପୋଷି, ବଡ଼ସାହି ଓ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକବୃନ୍ଦ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ସମସ୍ତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଗତ ୨୭-୨୮ ତାରିଖରେ ମୟୁରଭଞ୍ଜରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସଠିକ୍ ମୁକାବିଲା ସରକାର କରିଛନ୍ତି। ଆଗାମୀ ଦିନରେ ଯେପରି ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ, ସେଥିପାଇଁ ରାଜ୍ୟର ୧୫ଟି ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ସବିଶେଷ ଯୋଜନା ପ୍ରସ୍ତୁତ କରାଯାଇ ବିଭିନ୍ନ ମନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ ବୋହି ଆସୁଥିବା ଜଳରାଶି ଯୋଗୁଁ ତଳିଆ ଅଞ୍ଚଳ ଗୁଡ଼ିକ ଉପରେ ପାଣି ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହିସବୁ ସ୍ଥାନରେ ଉଚ୍ଚସ୍ତରୀୟ ପୋଲ ନିର୍ମାଣ କରାଗଲେ ବନ୍ୟା ସମସ୍ୟା ଦୂର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏଥିସହିତ ପ୍ରଭାବିତ ଅଞ୍ଚଳଗୁଡ଼ିକର କ୍ଷତିଗ୍ରସ୍ତ ଫସଲ, ଭାଙ୍ଗିଯାଇଥିବା ଘର ଓ ବିଚ୍ଛିନ୍ନ ହୋଇଥିବା ରାସ୍ତାଘାଟର ସରଜମିନ ତଦାରଖ ପାଇଁ ମନ୍ତ୍ରୀ ଓ ପ୍ରତିନିଧି ମଣ୍ଡଳୀ କ୍ଷେତ୍ର ପରିଦର୍ଶନ କରିଛନ୍ତି ।
ପ୍ରତିବର୍ଷ ବନ୍ୟାରେ କଚ୍ଛା ଘର ଭାଙ୍ଗିବା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ସଠିକ୍ ସର୍ଭେ ଓ ତାଲିକା ଅଭାବରୁ ଅନେକ ଗରିବ ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ତ୍ତମାନର ସରକାର ୩୭ ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନର ବନ୍ୟାରେ ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ତୁରନ୍ତ ଆବାସ ଯୋଜନା ଅନ୍ତର୍ଗତ ସହାୟତା ଯୋଗାଇ ଦିଆଯିବ। ସରଜମିନ ତଦାରଖ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରି ଏକ ସମ୍ପୂର୍ଣ୍ଣ ଆକ୍ସନ ପ୍ଲାନ୍ ଓ ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ସୂଚନା ଦେଇଛନ୍ତି।