ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା କରିବେ। ଏହି ବୈଠକରେ ପ୍ରମୁଖ ଭାବେ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ECCE), କୌଶଳ ବିକାଶ ଓ ବୃତ୍ତିଗତ ପ୍ରଶିକ୍ଷଣ, ଗବେଷଣା, ନବସୃଜନ, ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଏବଂ ଶିକ୍ଷାଗତ ନେତୃତ୍ୱ ଭଳି ପ୍ରମୁଖ ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ।
ଭାରତର BRICS-୨୦୨୬ ଅଧ୍ୟକ୍ଷତା ଅଧୀନରେ ଏହା ପୂର୍ବରୁ ଭୁବନେଶ୍ୱରରେ ତୃତୀୟ BRICS ବରିଷ୍ଠ ଶିକ୍ଷା ଅଧିକାରୀ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ସେହି ବୈଠକରେ BRICS ଶିକ୍ଷାମନ୍ତ୍ରୀ ଘୋଷଣାପତ୍ରର ଖସଡ଼ାକୁ ଚୂଡ଼ାନ୍ତ କରାଯିବା ସହ ସଦସ୍ୟ ଦେଶଗୁଡ଼ିକର ମତାମତ ଗ୍ରହଣ କରାଯାଇଥିଲା। ବିଶେଷ କରି ପାରମ୍ପରିକ ଓ ଆଦିବାସୀ ଜ୍ଞାନ ବ୍ୟବସ୍ଥା, ବୈଷୟିକ ଶିକ୍ଷା (TVET) ଏବଂ ସହଯୋଗାତ୍ମକ ଗବେଷଣା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସମସ୍ତ ରାଷ୍ଟ୍ର ଏକମତ ହୋଇଥିଲେ।
ଶିକ୍ଷା କ୍ଷେତ୍ରରେ ସଂସ୍ଥାଗତ ସହଯୋଗ ବୃଦ୍ଧି ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଦିଗରେ ଏହି ବୈଠକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ସାବ୍ୟସ୍ତ ହେବ। ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଫଳାଫଳ ଏବଂ ଘୋଷଣାପତ୍ର ଆଜିର ମନ୍ତ୍ରୀସ୍ତରୀୟ ବୈଠକରେ ଅନୁମୋଦନ ଲାଭ କରିବ, ଯାହାକି ଭାରତର BRICS ଅଧ୍ୟକ୍ଷତାର ଏକ ଅନନ୍ୟ ସଫଳତା ଭାବେ ପରିଗଣିତ ହେଉଛି।
Also Read: ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ,ଏହା ପ୍ରାୟ ୪,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି