ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ଏହି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ସାଙ୍ଗଠନିକ ସ୍ଥିତି ଏବଂ ବିଭିନ୍ନ ସମସାମୟିକ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବା ନେଇ ଶ୍ରୀ ସାମଲ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।
ଓଡ଼ିଶାରେ ଦଳୀୟ ସଂଗଠନକୁ କିପରି ଅଧିକ ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବ, ସେନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ମତବିନିମୟ ହୋଇଛି। କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଭୂମିକା ବୃଦ୍ଧି କରିବା ସହିତ ଜନସେବାମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ସାଧାରଣ ଜନତାଙ୍କ ନିକଟରେ ଅଧିକ ବ୍ୟାପକ ଭାବେ ପହଞ୍ଚାଇବା ପାଇଁ ଆଲୋଚନାରେ ମୁଖ୍ୟ ଫୋକସ୍ ରହିଥିଲା।
ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ସାକ୍ଷାତ ଏବଂ ମାର୍ଗଦର୍ଶନ ଆଗାମୀ ଦିନରେ ଓଡ଼ିଶାରେ ଦଳକୁ ଆହୁରି ଅଧିକ ଶକ୍ତିଶାଳୀ ତଥା ଗତିଶୀଳ କରିବାରେ ବେଶ୍ ପ୍ରେରଣାଦାୟକ ସାବ୍ୟସ୍ତ ହେବ ବୋଲି ଶ୍ରୀ ସାମଲ ଆଶାବ୍ୟକ୍ତ କରିଛନ୍ତି।
Also Read: ହଷ୍ଟେଲ ଛାଡ଼ି ଘରମୁହାଁ ହେଲେ ଶହ ଶହ ଛାତ୍ରଛାତ୍ରୀ; ମୌଳିକ ସୁବିଧା ନ ମିଳିବାରୁ ବିକ୍ଷୋଭ, ୧୫ କିମି ଚାଲି ଚାଲି ଫେରିଲେ ଘରକୁ