ନୂଆଦିଲ୍ଲୀ: ବଦଳିଯାଇଛି ପଶ୍ଚିମବଙ୍ଗ ରାଜନୀତି । ପଶ୍ଚିମବଙ୍ଗରେ ଉଭା ହୋଇଛି ନୂତନ ଦଳ । ବିଧାନସଭା ପରେ ଗାଦିଚ୍ୟୁତ ହୋଇଥିବା ତୃଣମୂଳ କଂଗ୍ରେସ ଏବେ ଦୁଇ ଫାଳ ହୋଇସାରିଛି । ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଦଳ ଏବଂ ଅନ୍ୟପଟେ ବିଦ୍ରୋହୀ ଋତବ୍ରତ ବାନାର୍ଜୀ ଓ ଅରୂପ ରାୟଙ୍କ ଦଳ । ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଦୁଇଟି ଦଳ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନୂତନ ନାମ ଓ ଚିହ୍ନ ଘୋଷଣା କରିଛନ୍ତି ।
ମମତା ବାନାର୍ଜୀଙ୍କ ଦଳ “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ”ର ନାମ ବଦଳି “ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ରଖାଯାଇଛି । ଏହା ସହିତ ମମତାଙ୍କ ପକ୍ଷରୁ ପ୍ରସ୍ତାବିତ ଚିହ୍ନ ଅନୁଯାୟୀ ତାଙ୍କର ଦଳର ମୂଳ ଚିହ୍ନ “ଦୁଇଟି ଫୁଲ ଓ ଘାସ” ବଦଳି “ଫୁଟବଲ୍ ଖେଳାଳି” ଚିହ୍ନ ମିଳିଛି । ସେପଟେ ବିଦ୍ରୋହୀ ଦଳ ବା ଅରୂପ ରାୟଙ୍କ ଦଳର ନାମ ରଖାଯାଇଛି “ଡେମୋକ୍ରାଟିକ୍ ତୃଣମୂଳ” । ତାଙ୍କ ଦଳକୁ “ଲଫାପା” ଚିହ୍ନ ମିଳିଛି । ଅରୂପ ରାୟଙ୍କ ପକ୍ଷରୁ ତିନୋଟି ନାମ “ନାସନାଲିଷ୍ଟ ତୃଣମୂଳ କଂଗ୍ରେସ”, “ଡେମୋକ୍ରାଟିକ୍ ତୃଣମୂଳ” ଏବଂ “ୱେଷ୍ଟ ବେଙ୍ଗଲ୍ ତୃଣମୂଳ” ପ୍ରସ୍ତାବ ଦିଆଯାଇଥିଲା ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ମମତା ବାନାର୍ଜୀଙ୍କ ଦ୍ୱାରା ଅନୁମୋଦିତ 'ଫର୍ମ-ବି' (Form-B) ଅଧୀନରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକୁ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ପ୍ରାର୍ଥୀଙ୍କ ନାମାଙ୍କନ ଭାବରେ ଗ୍ରହଣ କରାଯିବ । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ରେଜୀନଗରରୁ ରବିଉଲ୍ ଆଲାମ୍ ଚୌଧୁରୀ ଓ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ (ଦେ) ଏବଂ ଆସାମର ନାଗାଓଁ ସଂସଦୀୟ ନିର୍ବାଚନ ମଣ୍ଡଳୀର ଅବଦୁଲ୍ ସଲାମ୍ ଅନ୍ତର୍ଭୁକ୍ତ । 'ଜନପ୍ରତିନିଧିତ୍ୱ ଆଇନ୍, ୧୯୫୧'ର ଧାରା ୩୬ ଅନୁଯାୟୀ, ନିର୍ବାଚନ ଆୟୋଗ ସେମାନଙ୍କୁ 'ଫୁଟବଲ୍ ଖେଳାଳି' (Football Player) ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି ।
ଅନ୍ୟପକ୍ଷରେ, ଅରୂପ ରାୟଙ୍କ ଦ୍ୱାରା ଅନୁମୋଦିତ 'ଫର୍ମ-ବି' (Form-B) ଆଧାରରେ ନାମାଙ୍କନ ଦାଖଲ କରୁଥିବା ପ୍ରାର୍ଥୀମାନଙ୍କୁ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ'ର ପ୍ରାର୍ଥୀ ଭାବେ ବିବେଚନା କରାଯିବ । ତଦନୁଯାୟୀ ରେଜୀନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ସଫିଉଜ୍ଜମାନ୍ ଶେଖ୍ ଏବଂ ନନ୍ଦୀଗ୍ରାମରୁ ଏହତେଶମୁଲ୍ ହକ୍ ଙ୍କ ନାମାଙ୍କନ 'ଲଫାପା' (Envelope) ନିର୍ବାଚନୀ ଚିହ୍ନ ଅଧୀନରେ ପଞ୍ଜୀକୃତ ହେବ ।
ରେଜୀନଗର ଏବଂ ନନ୍ଦୀଗ୍ରାମରୁ ମମତା ବାନାର୍ଜୀ ଓ ଅରୂପ ରାୟଙ୍କ ସମର୍ଥକ ତୃଣମୂଳ କଂଗ୍ରେସ ଦଳ ନାମରେ ୨ ଜଣ ଲେଖାଏଁ ପ୍ରାର୍ଥୀ ଥିଲେ । ରେଜୀନଗରରେ ରବିଉଲ୍ ଆଲାମ୍ ଚୌଧୁରୀ ଓ ସଫିଉଜ୍ଜମାନ୍ ଶେଖ୍ ନିଜର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବୋଲି ଦାବି କରିଥିଲେ । ସେହିପରି ନନ୍ଦିଗ୍ରାମରେ ମଧ୍ୟ ସମାନ ପରିସ୍ଥିତି ଥିଲା । ନନ୍ଦିଗ୍ରାମରେ ସଞ୍ଚିତା ପ୍ରଧାନ (ଦେ) ଓ ଏହତେଶମୁଲ୍ ହକ୍ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦର୍ଶାଇ ନାମାଙ୍କନ ଦାଖଲ କରିଥିଲେ । ଯେଉଁଥିପାଇଁ ଦୁଇଟି ଭିନ୍ନ ଭିନ୍ନ ନାମ ଓ ଚିହ୍ନ ଆବଶ୍ୟକତା ହୋଇପଡ଼ିଥିଲା ।
ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଆଇନଗତ ଆବଶ୍ୟକତା ପୂରଣ ହେବା ପରେ ହିଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହା ସହିତ ରେଜୀନଗର ଓ ନନ୍ଦୀଗ୍ରାମ ବିଧାନସଭା ଆସନ ଏବଂ ଆସାମ ନଗାଁଓ ଲୋକସଭା ପାଇଁ ନିଯୁକ୍ତି ହୋଇଥିବା ରିଟର୍ଣ୍ଣିଂ ଅଫିସର ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।