ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳିତ ହେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭ ଅବସରରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳନ କରିବାକୁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆହ୍ୱାନ କରିଛନ୍ତି ।
ନିତିନ ନବୀନ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, 'ଜନସେବା ହିଁ ରାଷ୍ଟ୍ରସେବା' - ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନର ମୂଳମନ୍ତ୍ର ରହିଆସିଛି। ଜନସେବା ଓ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ନେଇ ସରକାରଙ୍କ ମୁଖ୍ୟ ଭାବରେ ତାଙ୍କର ୨୫ ବର୍ଷର ଯାତ୍ରା ଅଦ୍ଭୂତପୂର୍ବ ଅଟେ। ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦେଶକୁ ଏକ ନୂତନ ଦିଗ ଏବଂ ନୂତନ ଶକ୍ତି ପ୍ରଦାନ କରିଛି। ଆଜି ତାଙ୍କ ଦ୍ୱାରା ଅନୁପ୍ରାଣିତ ସାମୂହିକ ସଂକଳ୍ପ ବଳରେ ଆମେ 'ବିକଶିତ ଭାରତ @ ୨୦୪୭' ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛୁ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକାଳରେ ଦେଶ ଅନେକ କଠିନ ପରିସ୍ଥିତିର ସାମ୍ନା କରିଛି । ସେ ବିଷମ ପରିସ୍ଥିତିରେ ନୂତନ ନୀତି ଓ କାର୍ଯ୍ୟ ତିଆରି କଲେ, ଯାହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଲା ।ଦେଶର ଏହି ପ୍ରଗତିଶୀଳ ଯାତ୍ରା ଏବଂ ମୋଦୀଜୀଙ୍କ ଗୌରବମୟ ନେତୃତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ, ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭ ଅବସରରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳନ କରିବା ଏବଂ ତାଙ୍କର ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ହୃଦୟରୁ ଆଶୀର୍ବାଦ ପ୍ରଦାନ କରିବାକୁ ନିତିନ ନବୀନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।