ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗୋଟିଏ ଦଳର ଅନ୍ୟ ଦଳ ପୁଣି ଆଉ ଗୋଟିଏ ଦଳକୁ ଡେଉଁଥିବା ନେତାଙ୍କ ଉପରେ କଟକଣା ଲଗାଇବାକୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏକ ପ୍ରସ୍ତାବ ଦେଇଛନ୍ତି । କପିଲ ସିବଲ୍ ରାଜନୈତିକ ଘୋଡ଼ା ବେପାରେ ସାମିଲ ହେଉଥିବା ବା ଦଳ ବଦଳ କରୁଥିବା ସାଂସଦ କିମ୍ବା ବିଧାୟକଙ୍କ ଉପରେ ଅତିକମରେ ୧୦ ବର୍ଷ ପାଇଁ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । 'କକରୋଚ୍ ଜନତା ପାର୍ଟି' ସିବଲ୍ଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛି। ସିଜେପି ସହ-ସଂଯୋଜକ ସୌରଭ ଦାସ ଏହାକୁ ସମୟର ଆବଶ୍ୟକତା ବୋଲି ଦର୍ଶାଇଛନ୍ତି ।
କେରଳର କୋଚିଠାରେ 'ହର୍ସ-ଟ୍ରେଡିଂ ଆଣ୍ଡ୍ ଡେମୋକ୍ରାଟିକ୍' ବିଷୟରେ ଆଲୋଚନା କରିବା ବେଳେ ସିବଲ୍ ସମ୍ବିଧାନର ଦଶମ ଅନୁସୂଚୀରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ଯାହା ଫଳରେ ଦଳୀୟ ମିଶ୍ରଣକୁ ବ୍ୟାପକ ଦଳ ତ୍ୟାଗ ବା ଦଳ ବଦଳାଇବାର ମାଧ୍ୟମ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ସିବଲ୍ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ କହିଛନ୍ତି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ଯଦି କୌଣସି ବିଧାନସଭା ଦଳର ଦୁଇ-ତୃତୀୟାଂଶ ସଦସ୍ୟ ଅନ୍ୟ ଏକ ଦଳକୁ ଚାଲିଯାଆନ୍ତି, ତେବେ ଏହାକୁ 'ମିଶ୍ରଣ' ଭାବରେ ବିବେଚନା କରାଯାଏ ଏବଂ ଦଳ ତ୍ୟାଗ ଆଧାରରେ ସେମାନଙ୍କ ସଦସ୍ୟତା ରଦ୍ଦ କରାଯାଏ ନାହିଁ । ସିବଲ୍ ଏହି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ଦଶମ ଅନୁସୂଚୀରେ ସଂଶୋଧନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମିଶ୍ରଣର ଅର୍ଥ ହେଉଛି ରାଜନୈତିକ ଦଳଗୁଡ଼ିକର ମିଶ୍ରଣ ନା କି କୌଣସି ଦଳରୁ ବିଧାୟକମାନଙ୍କର ସାମୂହିକ ପ୍ରସ୍ଥାନ ।
ଏହି ପ୍ରସ୍ତାବକୁ ସମର୍ଥନ କରି ସିଜେପି ସହ-ସଂଯୋଜକ ସୌରଭ ଦାସ କହିଛନ୍ତି ଯେ ଏହା ସେମାନଙ୍କର ଚିନ୍ତାଧାରା ଏବଂ ପୂର୍ବ ଦାବି ସହିତ ସମାନ। କପିଲ ସିବଲ୍ଙ୍କ ପ୍ରସ୍ତାବକୁ ସ୍ୱାଗତ କରାଯିବା ଉଚିତ୍। ସେ ମଧ୍ୟ୧୦ ବର୍ଷିଆ କଟକଣା ପାଇଁ ଦାବି କରିଛନ୍ତି ।