ନୂଆଦିଲ୍ଲୀ: ଦକ୍ଷିଣ ଥାଇଲ୍ୟାଣ୍ଡରେ ଏକ ଫୁଟବଲ ମ୍ୟାଚ ବେଳର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିଏ ଜାଣିଛି ଖେଳ ପଡ଼ିଆରେ ଆକାଶରୁ ମୃତ୍ୟୁ ଖସିବ । ଫୁଟବଲ୍ ମ୍ୟାଚ୍ ଚାଲୁଥିବାବେଳେ ବଜ୍ରପାତ ହୋଇ ଜଣେ ୨୪ ବର୍ଷୀୟ ଥାଇ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ ହୋଇଛି । ସୋଫୱାନ୍ ଆୱେ ନାମକଙ୍କ ଜଣେ ଫୁଟବଲ ଖେଳାଳି ମୃତ୍ୟୁବରଣ କରିଛନ୍ତି । ଏଥିରେ ୧୨ ଜଣ ଖେଳାଳି ଆହତ ହୋଇଛନ୍ତି। ଖାଲି ସେତିକି ନୁହେଁ ବଜ୍ରପାତ ବେଳର ଦୃଶ୍ୟ ଛାତି ଥରାଇ ଦେଉଛି ।
ଥାଇଲ୍ୟାଣ୍ଡରେ ଗୋଲକ୍ ଏଫଏ କପ୍ ଫୁଟବଲ ମ୍ୟାଚ ଚାଲୁଥିଲା । ଏକ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ୍ ଯେଉଁଥିରେ ଆମେଚର ଏବଂ ଥାଇ-ମାଲେସିଆନ୍ ଦଳ ସାମିଲ ଥିଲେ। ମ୍ୟାଚ୍ ଟି ଆୱେଙ୍କ ଦଳ, SAMCOLTS ଏବଂ ଆବୁ ଏକ୍ସ ନଙ୍ଗ ସିରିନ୍ ମଧ୍ୟରେ ଖେଳାଯାଉଥିଲା। ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ବଜ୍ରପାତ ହୋଇଥିଲା । ୱିଙ୍ଗର୍ ଭାବରେ ଖେଳୁଥିବା ସୋଫୱାନ୍ ଆୱେ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ବଜ୍ରପାତ ବେଳର ଦୃଶ୍ୟ ଜଣଙ୍କ ମୋବାଇଲ କ୍ୟାମେରାରେ କଏଦ ହୋଇଯାଇଥିଲା । ଯାହାକୁ ଦେଖିବା ପରେ ସମସ୍ତଙ୍କ ଛାତି ଥରି ଉଠୁଛି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଉଲ୍ଲେଖ ଯୋଗ୍ୟ, ଥାଇଲ୍ୟାଣ୍ଡରେ ବଜ୍ରପାତ ଜନିତ ମୃତ୍ୟୁ ସାଧାରଣ ଅଟେ । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଯେ ୨୦୨୦ ରୁ ୨୦୨୪ ମଧ୍ୟରେ, ସାରା ଦେଶରେ ଅତି କମରେ ୨୮୩ ଜଣ ବଜ୍ରପାତର ଶିକାର ହୋଇଛନ୍ତି, ଯେଉଁଥିରେ ଅନେକଙ୍କ ମୃତ୍ୟୁ ତୁରନ୍ତ ହୋଇଥିଲା।