ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରାଜନୀତିରେ ପାକିସ୍ତାନ ପାଇଁ ଏକ ବଡ଼ଧରଣର କ୍ଷତି ଏବଂ ଅପମାନଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବଂ ଆଲୋଚନା ପ୍ରକ୍ରିୟାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇରାନ ଯୁଦ୍ଧ ଓ ମଧ୍ୟସ୍ଥତା ପ୍ରସଙ୍ଗରେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ପ୍ରକାଶିତ ମଧ୍ୟସ୍ଥ ଦେଶଗୁଡ଼ିକର ତାଲିକାରୁ ପାକିସ୍ତାନର ନାମ ବାଦ୍ ଦିଆଯାଇଥିବା ନେଇ ବଡ଼ ଖବର ସାମ୍ନାକୁ ଆସିଛି।
କାହିଁକି ବାଦ୍ ପଡ଼ିଲା ପାକିସ୍ତାନ ?
ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ପାକିସ୍ତାନ ଏକ ପ୍ରମୁଖ ମଧ୍ୟସ୍ଥ ଭୂମିକା ନିର୍ବାହ କରିବା ନେଇ ଦାବି କରୁଥିଲା। ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଆମେରିକୀୟ ନେତୃତ୍ୱ ଏବଂ ପ୍ରତିରକ୍ଷା ବିଶ୍ଳେଷକମାନେ ପାକିସ୍ତାନର ନିରପେକ୍ଷତାକୁ ନେଇ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ଆମେରିକାର କିଛି ପ୍ରମୁଖ ଅଧିକାରୀ ଏବଂ ସମର୍ଥକଙ୍କ ମତରେ, ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ଆଳରେ ପ୍ରକୃତରେ ଇରାନକୁ ଅହେତୁକ ସମର୍ଥନ କରୁଥିଲେ। ଆମେରିକାର ସ୍ୱାର୍ଥ ବିରୋଧରେ କାମ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ୍ ପ୍ରଶାସନ ଏହି କଠୋର ନିଷ୍ପତ୍ତି ନେଇଛି। ଟ୍ରମ୍ପ୍ ପ୍ରଶାସନ ଏବେ ଆଲୋଚନା ପାଇଁ ସାଉଦି ଆରବ, ୟୁଏଇ ଏବଂ କତାର ଭଳି ଦେଶଗୁଡ଼ିକର ନାମ ଉଲ୍ଲେଖ କରିଛି, ଯାହାଫଳରେ ଇସଲାମାବାଦର ମଧ୍ୟସ୍ଥ ହେବା ଆଶା ଉପରେ ପାଣି ପଡ଼ିଛି।
ଇସଲାମାବାଦର କୂଟନୈତିକ କ୍ଷତି
କିଛି ଦିନ ପୂର୍ବ ପର୍ଯ୍ୟନ୍ତ ପାକିସ୍ତାନ ନିଜକୁ ଆମେରିକା-ଇରାନ ମଧ୍ୟରେ ଏକମାତ୍ର ବିଶ୍ୱସ୍ତ ମଧ୍ୟସ୍ଥ ଭାବେ ପ୍ରୋଜେକ୍ଟ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ପଦକ୍ଷେପ ପରେ ପାକିସ୍ତାନୀ ନେତୃତ୍ୱ ଏବଂ ସେନା ମହଲରେ ଏହା ଏକ ବଡ଼ କୂଟନୈତିକ ଝଟ୍କା ବୋଲି ବିବେଚନା କରାଯାଉଛି। ଆଗାମୀ ଦିନରେ ଏହି ପଦକ୍ଷେପ ବିଶ୍ୱ ରାଜନୀତିରେ କିଭଳି ପ୍ରଭାବ ପକାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।