ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବର୍ତ୍ତମାନ ଉପର ମୁଣ୍ଡରେ ବର୍ଷା ନ ଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୬୨ ଫୁଟକୁ ଖସିଛି କିଛି ଗେଟ୍ ବନ୍ଦ କରାଯାଇଛି। ସେଥିପାଇଁ ମହାନଦୀରେ ପାଣି କମିଛି ଏବଂ ନରାଜଠାରେ ପାଣି ବିପଦ ସଙ୍କେତ ତଳେ ରହିଛି । ଖଇରମାଳ, ବରମୂଳ ଓ ମୁଣ୍ଡଳିରେ ବି ଜଳସ୍ତର କମିଛି ।
ପାଣିପାଗ ସୂଚନା ଅନୁଯାୟୀ ଆଗାମୀ ସପ୍ତାହ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିବ। ଆଜି ପାଇଁ ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନ୍ ସିଟି ସମେତ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତାକାଲି ୫ ତାରିଖ ପାଇଁ ୧୭ଟି ଜିଲ୍ଲା ୟେଲୋ ଆଲର୍ଟ ରହିଛି। ୬ ଓ ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୮ ଓ ୯ ତାରିଖରେ କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ।