ମୟୂରଭଞ୍ଜ ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି ଏକ ଚିନ୍ତାଜନକ ଘଟଣା। ସ୍କୁଲ ହଷ୍ଟେଲରେ ପରିବେଷଣ କରାଯାଇଥିବା ଖାଦ୍ୟ ଖାଇବା ପରେ ୯୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଘଟଣା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ନିଲମ୍ବନ କରିଛି।
ସୂଚନା ଅନୁଯାୟୀ, ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକର ସରଗଡ଼ା ଗ୍ରାମରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀମାନେ ଖାଦ୍ୟ ଖାଇବା ପରେ ହଠାତ୍ ବାନ୍ତି ଓ ଝାଡ଼ାରେ ପୀଡ଼ିତ ହୋଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଓ ପ୍ରଶାସନକୁ ଖବର ଦିଆଯାଇଥିଲା।
ଘଟଣା ଜଣାପଡ଼ିବା ପରେ ଅସୁସ୍ଥ ଛାତ୍ରୀମାନଙ୍କ ମଧ୍ୟରୁ ଅନେକଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ସେହିପରି ଏକ ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଅନ୍ୟ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା ସେବା ଯୋଗାଇଥିଲେ। ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଏହି ଘଟଣାକୁ ଗୁରୁତର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ବିଜାତଳା ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ନନ୍ଦଙ୍କ ରିପୋର୍ଟ ଆଧାରରେ ପ୍ରଧାନ ଶିକ୍ଷୟିତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛି। ନିଲମ୍ବନ ସମୟରେ ତାଙ୍କୁ ବିଜାତଳା ବ୍ଲକର ପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ସରକାର ଘଟଣାର କାରଣ ଜାଣିବା ପାଇଁ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା, ସଂରକ୍ଷଣ ବ୍ୟବସ୍ଥା, ପରିଷ୍କାର-ପରିଚ୍ଛନ୍ନତା ଏବଂ ସୁରକ୍ଷା ନିୟମ ପାଳନ ଉପରେ ବିଶେଷ ଯାଞ୍ଚ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ସ୍କୁଲର ପାଠପଢ଼ା ଓ ପ୍ରଶାସନିକ କାର୍ଯ୍ୟ ସୁଚାରୁ ଭାବେ ଚାଲୁ ରଖିବା ପାଇଁ ଦୁଲିମଣି ସୋରେନଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।