ଭୁବନେଶ୍ୱର:ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ପହଁଚିବା ପରେ ସେଠାରୁ ସଡ଼କ ପଥରେ ପ୍ରାୟ ୮୦ କିଲୋମିଟର୍ ତପ୍ତପାଣି ମା’ କନ୍ଧୁଣୀ ଦେବୀ ମନ୍ଦିରକୁ ଯିବେ । ସେଠାରେ ମା’ କନ୍ଧୁଣୀଙ୍କ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଲୋକ ସେବା ଭବନରୁ ବାହାରି ସିଧାସଳଖ ଭୁବନେଶ୍ୱର ଷ୍ଟେସନକୁ ଯାଇଥିଲେ । ଏକ ନମ୍ବର ପ୍ଲାଟଫର୍ମରୁ ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରକୁ ଯାତ୍ରା କରିଛନ୍ତି । ରାଷ୍ଟ୍ରପତିଙ୍କ ରେଳ ଯାତ୍ରା ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଓଡ଼ିଶା ପୋଲିସ ଏବଂ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତିଙ୍କ ଟ୍ରେନର ଆଗରେ ଏବଂ ପଛରେ ଦୁଇଟି ଏସ୍କର୍ଟ ଟ୍ରେନ୍ ଚାଲିବ । ଏଥିପାଇଁ ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
ରାଷ୍ଟ୍ରପତି ମା’ କନ୍ଧୁଣୀ ଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ପୁଣି ଥରେ ବ୍ରହ୍ମପୁରକୁ ଫେରି ଆସିବେ । ବ୍ରହ୍ମୁପରରେ ଥିବା ବାୟୁସେନା କଲେଜରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ପୁନର୍ବାର ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।