ସମ୍ବଲପୁର: ଓଡ଼ିଶାରେ ନିକଟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡ ଅଞ୍ଚଳରେ ବର୍ଷାର ପରିମାଣ କମିଥିବାରୁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଛି। ଏହା ଫଳରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା ଜଳ ସମ୍ପଦ ବିଭାଗ ସୂଚନା ଦେଇଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୭୭ ଫୁଟ ରହିଛି। ପ୍ରଶାସନର ଯୋଜନା ଅନୁଯାୟୀ ମଙ୍ଗଳବାର ସୁଦ୍ଧା ଏହାକୁ ୬୧୮ ଫୁଟ ଏବଂ ବୁଧବାର ସୁଦ୍ଧା ୬୧୫ ଫୁଟକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏବେ ହୀରାକୁଦରୁ ପ୍ରାୟ ୩ ଲକ୍ଷ ୩ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିବା ବେଳେ ମୁଣ୍ଡଳି ନିକଟରେ ୫ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବିଭାଗର ଆକଳନ ଅନୁଯାୟୀ ଆଗାମୀ କିଛି ଦିନ ମଧ୍ୟରେ ଏହି ପ୍ରବାହ ଆହୁରି କମିବ।
ଅନ୍ୟପଟେ ବନ୍ୟା ଯୋଗୁଁ ବିଭିନ୍ନ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ମରାମତିକୁ ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ଅଞ୍ଚଳରେ ଗତକାଲିଠାରୁ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଅନ୍ୟ କ୍ଷତିଗ୍ରସ୍ତ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।
ପାଣିପାଗକୁ ନେଇ ମଧ୍ୟ ବିଭାଗ ସତର୍କ ରହିଛି। ପ୍ରାଥମିକ ଆକଳନ ଅନୁଯାୟୀ ଅଗଷ୍ଟ ୫ ତାରିଖ ପରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପୂର୍ବାନୁମାନ ଜାରି କରାଯାଇନାହିଁ। ଏଲ୍-ନିନୋ ପ୍ରଭାବ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଉଥିବାରୁ ପ୍ରଶାସନ ସଜାଗ ରହିଛି।
ସୂଚନାଯୋଗ୍ୟ, ଜୁନ୍ ମାସରେ ସାଧାରଣଠାରୁ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏହି ପରିବର୍ତ୍ତିତ ପାଣିପାଗକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସକୁ ଜଳ ସମ୍ପଦ ବିଭାଗ ପାଇଁ ଚ୍ୟାଲେଞ୍ଜିଂ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ରାଜ୍ୟରେ ଆଗକୁ ଆଉ କୌଣସି ବଡ଼ ବନ୍ୟା ଆସିବାର ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।