ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁଯାୟୀ ଏହି ମାମଲାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ପ୍ରଶ୍ନପତ୍ର ଲିକ୍ କିମ୍ବା ଭାଇରାଲ ହେବା ପଛରେ କେଉଁମାନଙ୍କ ହାତ ରହିଛି ଏବଂ ଏହା କେଉଁଠାରୁ ଆରମ୍ଭ ହୋଇଥିଲା ସେନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ଘଟଣାର ପ୍ରାଥମିକ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ଓ ଖୋଳତାଡ଼ ଜାରି ରହିଛି। ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନା ଥାଉ କି ଗତ ଜୁଲାଇ ୨୧ ତାରିଖରୁ ଏମକେସିଜି ମେଡିକାଲ କଲେଜରେ ପିଜି ଶେଷ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିଲା । ତେବେ ପରୀକ୍ଷା ଚାଲିଥିବା ବେଳେ ଜୁଲାଇ ୨୭ ତାରିଖରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବର ଜଣାପଡ଼ିବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏମକେସିଜି କୁଳପତି ଘଟଣାକୁ ଗୁରୁତର ସହ ନେଇଥିଲେ। ତୁରନ୍ତ ଘଟଣାର ତଦନ୍ତ ପାଇଁ ଏକ ଆଭ୍ୟନ୍ତରୀଣ ଟିମ୍ ଗଠନ କରାଯାଇଥିଲା ।
ତେବେ ଏହି ମାମଲାଟି ଅଧିକ ସଙ୍ଗୀନ ଏବଂ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏହି ମାମଲାକୁ ହାତକୁ ନେବା ପରେ ପ୍ରଶ୍ନପତ୍ର କିପରି ବାହାରକୁ ଆସିଲା ଏବଂ ଏଥିରେ କଲେଜର କୌଣସି କର୍ମଚାରୀ କିମ୍ବା ବାହାର ସଂସ୍ଥାର ସମ୍ପୃକ୍ତି ରହିଛି କି ନାହିଁ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ।