ଭୁବନେଶ୍ଵର: ରାଜ୍ୟରେ ବନ୍ୟା ଛାଡ଼ିଯିବା ବନ୍ୟା ପରେ ଆଜିଠାରୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି । ଜୀବନ ହାନି, ଘର ଭଙ୍ଗା, ଫସଲ ନଷ୍ଟ ଓ ଗୃହ ପାଳିତ ପଶୁଙ୍କ କ୍ଷୟକ୍ଷତି ପାଇଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଆଧାରରେ, ସମାନ୍ତରାଳ ଭାବେ କ୍ଷୟକ୍ଷତିର ଆକଳନ ଓ ସହାୟତା ରାଶି ପ୍ରଦାନ ଏକାସାଙ୍ଗରେ ଚାଲିବ । ପ୍ରାଥମିକ ପର୍ଯ୍ୟାୟ ଆକଳନରେ ୪୨ କୋଟି ୮୦ ଲକ୍ଷ କ୍ଷୟକ୍ଷତି ହୋଇଥିବା ଆନୁମାନିକ ଆକଳନ ହୋଇଛି । ସେଥିପାଇଁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ସହାୟତା ରାଶି ପଠାଇ ଦିଆଯାଇଛି । ଜିଲ୍ଲାପାଳମାନଙ୍କୁ ମୋଟ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ପଠାଯିବ । ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି ବା ଏସଡିଆରଏଫ୍ ନିୟମାବଳୀ ଅନୁସାରେ ବର୍ଷା ଓ ବନ୍ୟାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ କ୍ଷତିଗ୍ରସ୍ତଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ । ଯଦି କାହାର ପକ୍କା ଘର ଆଂଶିକ ଭାଙ୍ଗିଥାଏ ତେବେ ୬ ହଜାର ୫ ଶହ ଟଙ୍କା, କଚ୍ଚା ଘର ଭଙ୍ଗା ପାଇଁ ୪ ହଜାର ଟଙ୍କା, କୁଡ଼ିଆ ଭାଙ୍ଗିଥିଲେ ୮ ହଜାର ଓ ଗୁହାଳ ଭାଙ୍ଗିଥିଲେ ସେ ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରାଯିବ ।
ସେହିପରି ଫସଲ ନଷ୍ଟ ପାଇଁ ମଧ୍ୟ କ୍ଷତି ପୂରଣ ପ୍ରଦାନ କରାଯିବ । ଖାଲୁଆ ଜମିରେ ହେକ୍ଟର ପିଛା ୮,୫00 ଟଙ୍କା, ଜଳସେଚିତ ଜମିରେ ହେକ୍ଟର ପିଛା ୧୭,000 ଟଙ୍କା ଓ ଦୀର୍ଘ ସ୍ଥାୟୀ ଚାଷ ଜମିରେ ହେକ୍ଟର ପିଛା ୨୨,500 ଟଙ୍କା ମିଳିବ ।
ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଜୀବନ ହାନି ପାଇଁ ୪ ଲକ୍ଷ ଟଙ୍କା ମିଳିବ । ସେହିପରି ଅଗ୍ନିଶମ କର୍ମଚାରୀଙ୍କୁ ୧ କୋଟି ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ସେହିପରି ଗାଈ ମୃତ୍ୟୁ ପାଇଁ ୩୭ ହଜାର ୫ ଶହ ଟଙ୍କା, ବଳଦ କିମ୍ବା ମଇଁଷି ମରିଥିଲେ ୩୨ ହଜାର ଟଙ୍କା, ବାଛୁରୀ ପାଇଁ ୨୦ ହଜାର ଟଙ୍କା ଏବଂ ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ।
ବନ୍ୟାରେ ସମୁଦାୟ ୨୨ ଜିଲ୍ଲାର ୮୫ ବ୍ଲକ ଓ ୧୫ ସହରାଞ୍ଚଳ ପ୍ରଭାବିତ ହୋଇଛି । ୬୫୬ ପଞ୍ଚାୟତ ଏବଂ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି । ମୋଟ ୮ ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ସମୟରେ ୨ ଲକ୍ଷ ୬୭ ହଜାର ୩୦୧ଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।
ତେବେ କ୍ଷୟକ୍ଷତି ସର୍ଭେ ବେଳେ ଅଧିକାରୀଙ୍କ ମାନବିକତା ଦୃଷ୍ଟି କୋଣରୁ ସର୍ଭେ କରିବାକୁ ବନ୍ୟା ସମୀକ୍ଷା ବୈଠକରେ ପରାମର୍ଶ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ।