ଭୁବନେଶ୍ୱର : ଶ୍ରାବଣ ମାସରେ ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ଶହ ଶହ ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି । ଯାହା ଫଳରେ ପରିବା ଦର ବଢ଼ି ବଢ଼ି ଚାଲିଛି । ଯେକୌଣସି ପରିବା ଶହେ ଟଙ୍କା ତଳେ ମିଳୁନି । ପ୍ରାୟ ପରିବା ଶତକ ମାରିସାରିଲାଣି । ପରିବା ମୂଲ୍ୟବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ରୋଷେଇ ଘରେ ସତେ ଯେପରି ଚଡକ ପଡିଛି। କଟକ ଛତ୍ରବଜାର ସମେତ ରାଜ୍ଯର ବିଭିନ୍ନ ବଡ ପରିବା ବଜାରରେ ମଧ୍ଯ ପରିବା ଦର ବୃଦ୍ଧି ପାଇଛି ।
ଚଳିତ ଋତୁରେ କାଙ୍କଡ଼ ମୂଲ୍ଯ ୨୪୦ ଟଙ୍କା ଓ ଦେଶୀ ଫୁଲ କୋବି ୧୪୦ ଟଙ୍କାରେ ପହଞ୍ଚିଛି । କିଛିଦିନ ହେବ ବାଇଗଣ, ଭେଣ୍ଡି, ଜହ୍ନି, ପୋଟଳ, କାକୁଡି ଆଦି ପରିବା ମଧ୍ଯ କିଲୋ ପ୍ରତି ୧୦୦ ଟଙ୍କାକୁ ଟପି ଯାଇଛି । ପୋଟଳ ପିଛା ହୋଲସେଲ ଦର କିଲୋପିଛା ୮୦ ଟଙ୍କା ରହୁଥିବା ବେଳେ ବେପାରୀମାନେ ତାହାକୁ ନେଇ ୧୨୦ ଟଙ୍କାରେ ଖାଉଟିଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି । ସେହିପରି ଟମାଟୋ କିଲୋପ୍ରତି ୩୦ ଟଙ୍କାରେ କିଣି ୫୦ ଟଙ୍କା ଓ କୁନ୍ଦୁରି କିଲୋପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି । କଞ୍ଚାଲଙ୍କା ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଫୁଲକୋବି ହୋଲସେଲ ଦାମ କିଲୋପ୍ରତି ୮୦ ଟଙ୍କା ଥିବା ବେଳେ ୧୪୦ ଟଙ୍କାରେ ବିକ୍ରି ହେଉଛି । ଆଳୁ କିଲୋପ୍ରତି ୮ ଟଙ୍କା ହୋଲସେଲ ଦର ଥିବାବେଳେ ବଜାରରେ ୪୦ ଟଙ୍କା ବିକ୍ରି ହେଉଛି। ପରିବା ହୋଲସେଲ ଦର ଓ ବେପାରୀମାନେ ବିକ୍ରି କରୁଥିବା ଦର ମଧ୍ୟରେ ଆକାଶପାତାଳ ତାରତମ୍ୟ ରହୁଥିବାରୁ ଖାଉଟି ଅସନ୍ତୋଷ ହେଉଛନ୍ତି।